ଜଗତସିଂହପୁର: ପୁଣି ଯୌତୁକ ନେଲା ଆଉ ଏକ ଜୀବନ ! ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ଅନ୍ତର୍ଗତ ସଲମପୁର ଗ୍ରାମରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବଧୂ ଜଣଙ୍କ ହେଲେ ଚିନ୍ମୟ ଦାସ ।
ପୋଲିସ ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃୟାରୀ 10 ତାରିଖରେ ସଲମପୁର ଗ୍ରାମର ଚିନ୍ମୟ ଦାସଙ୍କ ସହ ଉକ୍ତ ଗ୍ରାମର ରାଜକିଶୋରଙ୍କ ବିବାହ ହୋଇଥିଲା । ତେବେ ବରପକ୍ଷ ଦାବି ମୁତାବକ କନ୍ୟାପକ୍ଷ ପକ୍ଷରୁ ଯୌତୁକ ବାବଦକୁ ନଗଦ 1ଲକ୍ଷ ଟଙ୍କା, ସୁନା ଗହଣା ଓ ବିଭିନ୍ନ ଆସବାବପତ୍ର ଦିଆଯାଇଥିଲା ।
ମାତ୍ର ବରପକ୍ଷ ଏଥିରେ ସନ୍ତୁଷ୍ଟ ନହୋଇ ଚିନ୍ମୟଙ୍କୁ ବାରମ୍ବାର ଅଧିକ ଯୌତୁକ ଦାବି କରୁଥିଲେ । ଏହାଛଡା ବହୁ ସମୟରେ ଏଥିପାଇଁ ଶାଶୁଘର ଲୋକେ ଚିନ୍ମୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଚିନ୍ମୟଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି ।
ଏହି ଘଟଣା ଜାଣିବା ପରେ ଚିନ୍ମୟଙ୍କ ବାପଘର ଲୋକେ ବରଘରେ ପହଞ୍ଚି ଆଉ ଯୌତୁକ ଦେଇ ପାରିବେ ନାହିଁ କହି ବରପକ୍ଷକୁ ବୁଝାସୁଝା କରି ଆସିଥିଲେ।
ତେବେ ଗୁରୁବାର ଅପରାହ୍ନରେ ଶାଶୁଘର ଲୋକେ ଚିନ୍ମୟଙ୍କ ଶବ ଗାଁ ପାଖ ପୋଖରୀରେ ଭାସୁଥିବା ଦେଖି ଚିନ୍ମୟର ବଡବାପାଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତ୍ରିତୋଲ ଥାନରେ ଚିନ୍ମୟଙ୍କ ଶାଶୁଘର ବିରୋଧରେ ଅଭିଯୋଗ କରିଛନ୍ତି। ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶାଶୁ , ଶ୍ବଶୁର, ସ୍ଵାମୀ, ନଣନ୍ଦଙ୍କୁ ଅଟକ ରଖି ପଚାର ଉଚାର ଜାରି ରଖିଛି।
ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ