ପାରାଦ୍ଵୀପ : ପାରାଦ୍ଵୀପ ସ୍ଥିତ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ। ବିସ୍ଥାପନ ଓ ନିଯୁକ୍ତି ପୂର୍ବରୁ ଜୋର ଜବରଦସ୍ତି ପ୍ରାଚୀର ବୁଲାଉଛି କମ୍ପାନୀ। ଯାହାକୁ ବିରୋଧ କରି ଗ୍ରାମବାସୀ ଧାରଣା ଦେଇଥିବା ବେଳେ ବଳ ପ୍ରୟୋଗ ମଧ୍ୟ କରିଛନ୍ତି । ଏପରିକି ମହାନଦୀକୁ ଡେଇଁବାକୁ ଦେଇଛନ୍ତି ଚେତାବନୀ।
୨୦୦୬ ମସିହାରେ ନୂଆଗଡ଼ ପଞ୍ଚାୟତର ବିଜୟ ଚନ୍ଦ୍ରପୁର ହାଣ୍ଡିଆ ଗ୍ରାମରେ ଏସାର ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା। ଉକ୍ତ ସମୟରେ ସ୍ଥାନୀୟ ଲୋକେ କମ୍ପାନୀକୁ ସହଯୋଗ କରି ଜମି ଯୋଗାଇ ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ହାଣ୍ଡିଆ ଗ୍ରାମର ୯୦୯ ପରିବାର ବିସ୍ଥାପିତ ହେବାର ଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ବିସ୍ଥାପନ କରାଯାଇ ନଥିଲା । ''ଏସାର" କମ୍ପାନୀ ଖର୍ଦି ବିକ୍ରୀ ହେବା ପରେ ଏବେ 'ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ' ପରିଚାଳନା କରୁଛି। ଏହି ବିସ୍ଥାପନ କାରଣରୁ ଉକ୍ତ ଗ୍ରାମକୁ ଭଲ ରାସ୍ତା ହୋଇପାରିନାହିଁ । ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ମାତ୍ର 'ଆର୍ସେଲର ମିତ୍ତଲ-ନିପ୍ପନ' କମ୍ପାନୀ ଏବେ ଉକ୍ତ ଜମିରୁ ମାଟି ଖୋଳି ପ୍ରାଚୀର ନିର୍ମାଣ କରୁଛି।
ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କୁ ଅଭିଯୋଗ କରିବା ସହିତ ଗ୍ରାମର ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କମ୍ପାନୀ ଏହାକୁ ପୂରଣ ନକରି ଜୋର ଜବରଦସ୍ତି ପ୍ରାଚୀର ବୁଲାଉଛି। ଯାହାକୁ ବିରୋଧ କରି ଦିର୍ଘ ୧୧ ଦିନ ହେଲା ହାଣ୍ଡିଆ ଗ୍ରାମର ମହିଳା, ପୁରୁଷ ଓ ଛୋଟ ପିଲା ଧାରଣା ଦେଇଛନ୍ତି। ଯଦି କମ୍ପାନୀ ଯୋର ଜବରଦସ୍ତି ପ୍ରାଚୀର ନିର୍ମାଣ କରେ ତେବେ ସପରିବାର ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ଏସାର ଷ୍ଟିଲ କମ୍ପାନୀକୁ ।
ଆର୍ସେଲର ମିତ୍ତଲ-ନିପ୍ପନ କିଣିବା ପରେ , ଏଠାରେ ୬ ମିଲିୟନ ମେଟ୍ରିକ୍ ଟନର ଷ୍ଟିଲ ପ୍ଲାଣ୍ଟ କାରଖାନା ପ୍ରତିଷ୍ଠା କରିବ। ଏଥିପାଇଁ କମ୍ପାନୀ ଆର୍ସେଲର ମିତ୍ତଲ-ନିପ୍ପନ କମ୍ପାନୀ, ଏସାର ଷ୍ଟିଲ ସମୟରେ ଯେତିକି ଜମି କିଣା ଯାଇଥିଲା ସେହି ସ୍ଥାନର ସୀମା ନର୍ଧାରଣ କରାଯାଇ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। କାରଣ ଏସାର ସମୟରେ ବିସ୍ଥାପିତ ପରିବାରଙ୍କ ଥଇଥାନ ପାଇଁ ଆବଶ୍ୟକ ଜମି ମିଳିନଥିଲା। କିନ୍ତୁ ଏବେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ବିସ୍ଥାପିତ ପରିବାରଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ଥଇଥାନ ଓ ନିଯୁକ୍ତି ନଦେଇ ନିଜର କାମ ଆରମ୍ଭ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଆମର ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଛି ଏବଂ ସେମାନଙ୍କ ଦାବିପୂରଣ କରାଯିବ ବୋଲି କମ୍ପାନୀ କତ୍ତୃପକ୍ଷ ପ୍ରକାଶ କରିବା ସହିତ ଖୁବଶୀଘ୍ର ସେମାନଙ୍କୁ ନେଇ କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି। ୧୬ ବର୍ଷ ତଳେ ନିଜ ପିଲା ଛୁଆଙ୍କର ଭବିଷ୍ୟତର ସ୍ବପ୍ନ ଦେଖି କମ୍ପାନୀକୁ ସହଯୋଗ କରିଥିବା ଗ୍ରାମବାସୀ ଏବେ ସେହି ପିଲାଙ୍କ ଭବିଷ୍ୟତ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି। ତେବେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତଙ୍କୁ ନେଇ କାମ କରିବାର ପ୍ରତିଶ୍ରୁତି କେତେ ଦୁର କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ