ପାରାଦ୍ୱୀପ: ଦିନକୁ ଦିନ ଦୁର୍ଘଟଣା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ଯାହାକୁ ନେଇ ପାରାଦ୍ୱୀପବାସୀ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି । ପାରାଦ୍ୱୀପର ସମସ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ କରିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଜଣେ ଘରୁ ବାହାରିବା ପରେ ସୁରକ୍ଷିତ ଘରକୁ ଫେରିବା ନେଇ ପରିବାର ଲୋକେ ଚିନ୍ତାରେ ପଡି ଯାଉଛନ୍ତି ।
ମାସେ ପୂର୍ବରୁ ଜଣେ ମହିଳା ସ୍କୁଟି ଯୋଗେ ପାଞ୍ଚ ବର୍ଷର ପିଲାକୁ ନେଇ ଫେରୁ ଥିବାବେଳେ ମହିଳାଙ୍କ ଉପରେ ଟ୍ରକ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ବେସରକାରୀ ତଥ୍ୟ ଅନୁଯାୟୀ ପାରାଦ୍ୱୀପ ସହରରେ ଦିନକୁ ଛୋଟ ବଡ଼ ଏକାଧିକ ଦୁର୍ଘଟଣା ହେଉ ଥିବାବେଳେ 2021-22 ସୁଦ୍ଧା 256 ଜଣଙ୍କର ଜୀବନ ଯାଇଛି । ପାରାଦ୍ୱୀପ ଏବେ ଦୁର୍ଘଟଣାର ସହର ପାଲଟି ଥିବାବେଳେ ଆଜି ଏକ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ ।
ସ୍ଥାନୀୟ ପାରାଦ୍ୱୀପ ଗଡ଼ ଗେଟ ନିକଟରେ ବୋଲେରୋ ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ । ପାରାଦ୍ୱୀପ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ି ଥିବାବେଳେ ରାସ୍ତା ଉପରେ ଅଟକି ରହିଥିବା ଟ୍ରକ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର