ଜଗତସିଂହପୁର: ଶ୍ରମିକ ନେତା ବାପି ସର୍ଖେଲଙ୍କ ଉପରେ ବର୍ଷିଲା 'ଆମ କୁଜଙ୍ଗ ଆମ ପାରାଦୀପ' ସଙ୍ଗଠନ । ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ସଭାପତି ପ୍ରକାଶ ତ୍ରିପାଠୀ, ବାପି ସର୍ଖେଲଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । ତେବେ ଏ ସମ୍ପର୍କରେ ବାପି ସର୍ଖେଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଜଗତସିଂହପୁର କୁଜଙ୍ଗ ଠାରେ ଆଜି 'ଆମ କୁଜଙ୍ଗ ଆମ ପାରାଦୀପ' ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀର ସଙ୍ଗଠନର ସଭାପତି ପ୍ରକାଶ ତ୍ରିପାଠୀ ବାପି ସର୍ଖେଲଙ୍କ ବିରୋଧ ସଂଗୀନ ଅଭିଯୋଗ କରି କହିଛନ୍ତି, "IOCL ପ୍ରକଳ୍ପ ସମୟରେ ବାପି ସର୍ଖେଲ ବିରୋଧ କରିବା ଯୋଗୁଁ ପ୍ରକଳ୍ପ କାମ ବିଳମ୍ବ ହୋଇଥିଲା । ସେହିପରି ୨୦୧୬ ମସିହାରେ ଷ୍ଟିବେଡରକୁ ନେଇ ବାପି ପାରାଦୀପ ପୋର୍ଟକୁ ଅଚଳ କରି ଦେଇଥିଲେ । ଯାହା ଫଳରେ କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଥିଲା । ନିଜକୁ ଶ୍ରମିକ ନେତା କହୁଥିବା ବାପି ସର୍ଖେଲ କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ? କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଏନେଇ ତଦନ୍ତ କଲେ ଅଧିକ ରହସ୍ୟ ଉନ୍ମୋଚିତ ହେବ" । ସେପଟେ ପ୍ରକାଶ ତ୍ରିପାଠୀଙ୍କ ଅଭିଯୋଗ ଉପରେ ବାପି ସର୍ଖେଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଜଗତସିଂହପୁର