ଯାଜପୁର: ଆଗକୁ ସାଧାରଣ ନିର୍ବାଚନ । ଗଣତନ୍ତ୍ରର ବଡ ପର୍ବ ମତଦାନକୁ ନେଇ ଚାରି ଆଡେ ଉତ୍ସାହ । ନେତା ତୟାର ଭୋଟର ବି ତୟାର । ଆଉ ଚଳିତ ଥର ଦିବ୍ୟାଙ୍ଗ ଭୋଟର ପାଇଁ ମଧ୍ୟ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଦିବ୍ୟାଙ୍ଗ ଭୋଟର କିପରି ସୁରୁଖୁରୁରେ ମତଦାନ କରିବେ, ସେଥିପାଇଁ ଖାସ ପଦକ୍ଷେପ ଗ୍ରହଣ କରିଛି ଯାଜପୁର ଜିଲ୍ଲା ପ୍ରଶାସନ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନରେ ସମସ୍ତ ନାଗରିକଙ୍କୁ ମତଦାନରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଉଛି । ଖାସ କରି ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଆଗାମୀ ନିର୍ବାଚନରେ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଘରୁ ଏକ ସ୍ବତନ୍ତ୍ର ଗାଡିରେ ଆଣି ନିଜ ବୁଥରେ ଛାଡିବାର ବ୍ୟବସ୍ଥା କରାଯାଇଛି । ସେଠାରେ ବୁଥ ଭିତରକୁ ନେବା ପାଇଁ ହୁଇଲ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭୋଟ ଦେଇ ସାରିବା ପରେ ସେମାନଙ୍କୁ ଘରେ ପୁଣି ଛାଡିବା ପାଇଁ ମଧ୍ୟ ବନ୍ଦୋବସ୍ତ ହୋଇଛି । ଭୋଟ ଦେଇ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଦିବ୍ୟାଙ୍ଗମାନେ ମଧ୍ୟ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ।
ଜିଲ୍ଲାରେ ଦିବ୍ୟାଙ୍ଗ ଭୋଟରମାନେ କିପରି ସୁରୁଖୁରୁରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ୧୬୧୯ଟି ବୁଥରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଏଥିସକାଶେ ସମସ୍ତ ବୁଥ ପାଇଁ ୩ ଚକିଆ ଗାଡି ମଧ୍ୟ କିଣାସରିଛି । ଏହି ବ୍ୟବସ୍ଥା ଦ୍ବାରା ଦିବ୍ୟାଙ୍ଗମାନେ ବିଶେଷ ସୁବିଧା ପାଇବା ସହିତ ମତଦାନ ହାର ବୃଦ୍ଧି ପାଇବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଯାଜପୁର ଆଶା ବ୍ୟକ୍ତ କରିଛନ୍ତି । ସାମାଜିକ କର୍ମୀ ତଥା ସ୍ବେଚ୍ଛାସେବୀ ସଂଗଠକମାନେ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷେପର ପ୍ରଶଂସା କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ