ବ୍ରହ୍ମପୁର: ହତ୍ୟାର ଶିକାର ହୋଇଥିବା ଭାବି ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରିବା ଦାବି କରି ନିଜେ ଜୀବନ ହାରିଲେ ଯୁବତୀ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଏଭଳି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାବି ସ୍ବାମୀର ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଜଣଙ୍କୁ ଛାଡି ଦେଇଥିଲା । ତେବେ ଏହି ଖବର ଯୁବତୀଙ୍କ ନିକଟରେ ପହଞ୍ଚିବା ପରେ ସେ ବିଷ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଗତ ୨୨ ତାରିଖ ରାତ୍ର ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଅଞ୍ଚଳରେ ଜଣେ ଜଣାଶୁଣା ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ଏହି ଘଟଣାରେ ୩ ଜଣ ବ୍ୟକ୍ତିବିଶେଷଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚାରାଉଚରା କରିଥିଲେ । ହେଲେ ଗତକାଲି ଅଟକ ରହିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଛାଡି ଦେଇଥିଲା ପୋଲିସ । ଆଉ ଏହି ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇଛନ୍ତି ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ଭାବି ପତ୍ନୀ ଆରତୀ ପ୍ରଧାନ ।
ଆଜି ସକାଳ ସମୟରେ ସେ ଏହାକୁ ନେଇ ହଠାତ ନିଜର ଭାବି ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଘଟଣାସ୍ଥଳ ନିକଟକୁ ଯାଇ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର MKCG ମେଡିକାଲରେ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଏହି ଖବର ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ନିଆଁ ଜାଳି ରାସ୍ତାରୋକ କରାଯାଇଛି । ଏହାସହ ହତ୍ୟାର ଶିକାର ହୋଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ତ ଦେବାକୁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ ଗତ ୨୨ ତାରିଖ ରାତ୍ର ସମୟରେ ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ଗ୍ରାମର ମନ୍ଦିରକୁ ଯାଇ ଦର୍ଶନ କରି ଫେରୁଥିବା ସମୟରେ ତାଙ୍କୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ଲୋକେ କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ଉକ୍ତ ଗ୍ରାମର ସୀମା ବିଶ୍ବାଳ, ପଙ୍କଜ ବିଶ୍ବାଳ, ବିଚିତ୍ର ନାହକଙ୍କୁ ଅଟକ ରଖି ତଦନ୍ତ କରୁଥିଲା । ହେଲେ ବିଚିତ୍ରଙ୍କୁ ପଚରା ଉଚୁରା କରାଯିବା ପରେ ଛାଡି ଦିଆଯାଇଥିବାରୁ ଭାବି ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏପରି କରିଥିବା କହିଛନ୍ତି ମୃତ ଯୁବତୀଙ୍କ ସମ୍ପର୍କୀୟ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ