ବ୍ରହ୍ମପୁର: ରେଳବାଇରେ ନିଯୁକ୍ତି ନାମରେ ଠକେଇ । ନିଯୁକ୍ତି ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ ମହିଳା । ଜଗତସିଂହପୁର ଅଞ୍ଚଳର ଅଭିଯୁକ୍ତ ୨୮ ବର୍ଷୀୟା ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ । ଜାଲ ପରିଚୟ ପତ୍ର, ରେଳବିଭାଗର ଗ୍ରୁପ୍ ସି ପଦବୀ ପାଇଁ ପ୍ରସ୍ତୁତ ହୋଇଥିବା ଜାଲ ଅଫର୍ ଲେଟର ସହ ଗୋଟିଏ ଆଇଫୋନ ଓ ସ୍କୁଟି ଜବତ କରିଛି ପୋଲିସ ।
ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଞ୍ଚଳର ଗୋବିନ୍ଦପୁର ଗ୍ରାମର ଏସ ଅଶୋକ କୁମାର ପାତ୍ରଙ୍କ ପୁଅ ଏସ ହିତେଶ ପାତ୍ର ନିଯୁକ୍ତି ସନ୍ଧାନରେ ରହିଥିଲେ । ଏଭଳି ସମୟରେ ତାଙ୍କ ବନ୍ଧୁ କାର୍ତ୍ତିକ ସାହୁ ବ୍ରହ୍ମପୁର ସହରରେ ରହୁଥିବା ଜେଏମଏସ ପ୍ରଭା ନାମକ ମହିଳାଙ୍କ ବିଷୟରେ ସୂଚନା ଦେଇଥିଲେ । ଏହାପରେ ଗତ ଜୁନ ୨୦୨୨ରେ ହିତେଶ ଆସି ବ୍ରହ୍ମପୁର ସହରର ସାଇ କମ୍ପ୍ଲେକ୍ସ ନିକଟରେ ସେହି ମହିଳାଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ମହିଳା ଜଣଙ୍କ ରେଳବାଇ ଗ୍ରୁପ୍ ସିରେ ନିଯୁକ୍ତି ଦେବାର ପ୍ରତିଶୃତି ଦେବା ସହିତ ଏଥିପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପଡ଼ିବ ବୋଲି ସୂଚନା ଦେଇଥିଲେ । ଏନେଇ ହିତେଶ ୭ ଲକ୍ଷ ୫୦ ହଜାର ଟଙ୍କା ମହିଳାଙ୍କୁ ପ୍ରଦାନ କରିଥିଲେ ।
ଏହାପରେ ଅଭିଯୁକ୍ତ ମହିଳା ଜଣଙ୍କ ବଳକା ୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କଲେ ନିଯୁକ୍ତିର ଅଫର ଲେଟର, ଆଇଡି କାର୍ଡ, ନିଯୁକ୍ତି ପତ୍ର, ଉପସ୍ଥାନ କାର୍ଡ ଆଦି ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ । ତେବେ ଆଜି ହିତେଶଙ୍କଠାରୁ ମହିଳା ଜଣଙ୍କ ବଳକା ଅର୍ଥ ନେଉଥିବା ବେଳେ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ମହିଳା ୨୮ ବର୍ଷୀୟା ଜେଏମଏସ ପ୍ରଭାଙ୍କୁ ପୋଲିସ ଗିରଫ କରିଥିବାବେଳେ ସେ ଜଗତସିଂହପୁର ଅଞ୍ଚଳର ଝିମିନୀ ଗ୍ରାମର ବୋଲି ଜଣାପଡିଛି । ପୋଲିସ ଗିରଫ ମହିଳାଙ୍କଠାରୁ ଅଭିଯୋଗକାରୀ ଏସ ହିତେଶ ପାତ୍ରଙ୍କ ନାମରେ ପ୍ରସ୍ତୁତ କରାଯାଇଥିବା ଜାଲ ପରିଚୟ ପତ୍ର, ରେଳବିଭାଗର ଗ୍ରୁପ୍ ସି ପଦବୀ ପାଇଁ ପ୍ରସ୍ତୁତ ହୋଇଥିବା ମିଥ୍ୟା ଅଫର୍ ଲେଟର ସହ ବିଭିନ୍ନ ମିଥ୍ୟା କାଗଜପତ୍ର ଜବତ କରିଛି । ଏହା ସହିତ ୩ଟି ଡାଏରୀ, ଗୋଟିଏ ଆଇଫୋନ୍, ବ୍ୟାଙ୍କ ପାସବୁକ୍, ଗିରଫ ମହିଳାଙ୍କ ଆଧାର କାର୍ଡ ସମେତ ଗୋଟିଏ ସ୍କୁଟିକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବ୍ରହ୍ମପୁର