ଭଞ୍ଜନଗର: ଭତ୍ତା କାର୍ଡ ମିଳିଛି ମାତ୍ର ଭତ୍ତା ନାହିଁ । ରାସନ କାର୍ଡ ମିଳିଛି ମାତ୍ର ରାସନ ନାହିଁ। ଖାଲି ଯାହା ନାଁକୁ ମିଳିଛି କାର୍ଡ । ଏ ହେଉଛି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତର କୁମ୍ଭୀପଲ୍ଲୀ ଗ୍ରାମର ଜଣେ ଆଦିବାସୀ ମହିଳା ସୁଶିଳା ମଳିକଙ୍କ ଦୁଃଖର କାହାଣୀ ।
ସୁଶିଳା ତାଙ୍କ ସ୍ବାମୀ ଏବଂ ତିନି ପିଲାକୁ ନେଇ ତାଙ୍କର ସୁନାର ସଂସାର ବେଶ ହସଖୁସିରେ ଚାଲୁଥିଲା । ଆଜକୁ ଆଠ ବର୍ଷ ହେଲା ସ୍ବାମୀ ଆରପାରିକୁ ଚାଲିଗଲା ପରଠୁ ପରିବାର ଉପରେ ଦୁଃଖର ପାହାଡ଼ ମାଡିଆସିଛି । ଦୁଃଖେ କଷ୍ଟେ ବଡ଼ ଝିଅର ବାହାଘର କରି ଦେବା ପରେ ଅର୍ଥ ଅଭାବରୁ ସାନଝିଅର ପାଠପଢା ଅଧାରୁ ବନ୍ଦ । ପୁଅ ବି ପାଠପଢା ଛାଡି ପେଟକୁ ଦୁଇମୁଠା ଖାଇବା ପାଇଁ ଦାଦନ ଖଟିବାକୁ ବାହାରକୁ ଚାଲିଯାଇଛି ।
ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ଥିବା ବିଭିନ୍ମ ଯୋଜନାରେ ସୁଶିଳାକୁ ରାସନ କାର୍ଡ ଓ ବିଧବା କାର୍ଡ ମିଳିଛି । ପ୍ରଥମରୁ କିଛି ଦିନ ରାସନ ଓ ଭତ୍ତା ପାଇଲେ । ମାତ୍ର ବର୍ତ୍ତମାନ ସରକାରଙ୍କ ଏହି ଦୁଇଟି ଯୋଜନାରୁ ସୁଶିଳା ସମ୍ପୂର୍ଣ୍ଣ ବାଦ ପଡିଛନ୍ତି । ଏ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ିଛନ୍ତି ହେଲେ କିଛି ସୁଫଳ ମିଳିନାହିଁ । ପୁନର୍ବାର ସରକାର ସମସ୍ତ ଯୋଜନାରେ ସାମିଲ କରିବାକୁ ଗୁହାରି କରିଛନ୍ତି ସୁଶିଳା ।
ଏ ନେଇ ତୁରୁମୁ ପଞ୍ଚାୟତର ସରପଞ୍ଚଙ୍କ ସହିତ ଆଲୋଚନା ପରେ ସେ କହିଛନ୍ତି ସୁଶିଳା ବାହାରକୁ କାମକରିବାକୁ ପଳାଇଥିଲେ ଯାହା ଫଳରେ ତାଙ୍କର ରାସନ କାର୍ଡ କଟି ଯାଇଛି ଏବଂ ଭତ୍ତା କାର୍ଡ ମଧ୍ୟ କଟି ଯାଇଛି । ଅତିଶୀଘ୍ର ଭତ୍ତା ଓ ରାସନ ପାଇବାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି ସରପଞ୍ଚ । ଏହା ସହିତ ସୁଶିଳା ପକ୍କାଘର ପାଇବାକୁ ଯୋଗ୍ୟ ଅଛନ୍ତି ତାର ମଧ୍ୟ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ତହସିଲଦାର ।
ଭଞ୍ଜନଗର ରଞ୍ଜନ ସ୍ବାଇଁ, ଇଟିଭି ଭାରତ