ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ପାଣ୍ଡିରିପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୁଞ୍ଜିଆମା ଆଦିବାସୀ ଗ୍ରାମ । ଯେଉଁ ଗ୍ରାମଟି ବହୁତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାବେଳେ ଗ୍ରାମକୁ ଆଜି ସୁଦ୍ଧା ନିର୍ମାଣ ହୋଇପାଲା ନାହିଁ ପକ୍କା ସଡକଟିଏ । ଏବେ ବି ଲୋକେ ଯାତାୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତରେ ବାଧକ ସାଜିଥାଏ ଧନେଇ ନଦୀ । ଏମିତି କି ବର୍ଷା ଦିନରେ ସମସ୍ୟା ଆହୁରି ବଢି ଯାଇଥାଏ । ବହୁତ ଥର ଅଭିଯୋଗ ପରେ ମଧ୍ଯ ପ୍ରଶାସନ ଶୁଣିଲା ନାହିଁ । ଶେଷରେ ନିଜ ଗ୍ରାମ ରାସ୍ତାକୁ ସଜାଡିବା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ । ହାତରେ କୋଡି, କୋଦାଳ ଧରି ମହିଳା ପୁରୁଷ ମିଶି ନିଜ ଗାଁ ରାସ୍ତା କଲେ ନିର୍ମାଣ ।
ଖାଲି ସେତିକି ନୁହଁ, ବର୍ଷା ଦିନରେ ଗାଁର ରାସ୍ତା କାଦୁଅ ପରିପୂର୍ଣ୍ଣ ହୋଇ ଯାଉଥିବାବେଳେ ସମସ୍ତେ ମିଳିମିଶି ନିଜ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ କରିଛନ୍ତି । ଯାହା ଫଳରେ ଲୋକେ ଯାତାୟତରେ ଆଉ ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଏହି ପଦକ୍ଷେପ ନେଇଛନ୍ତି। ତଥାପି ଗ୍ରାମକୁ ଏକ ପକ୍କା ସଡକଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଗ୍ରାମବାସୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ