ବ୍ରହ୍ମପୁର: ବନ୍ଧୁତା କୃଷ୍ଣସୁଦାମାଙ୍କ ପରି । ଜଣ ଜଣଙ୍କର ଆଶାବାଡି । ଜଣଙ୍କ ବିନା ଅନ୍ୟ ଜଣେ ନିଜକୁ କଳ୍ପନା କରିବା ଅସମ୍ଭବ । ପରସ୍ପରଙ୍କ ମଧ୍ୟରେ କ୍ଷୀର ନୀରର ସମ୍ପର୍କ । ଏ ମଜବୁତ ସମ୍ପର୍କ ସବୁ କିଛି ଶାରିରୀକ ଅକ୍ଷମତାକୁ ହରାଇ ଜୀବନ ପଥରେ ଆଗେଇ ଚାଲିଛନ୍ତି । ଜଣେ ଜନ୍ମରୁ ଦୃଷ୍ଟିହୀନ ତ ଅନ୍ୟ ଜଣେ ପୋଲିଓରେ ଆକ୍ରାନ୍ତ ହୋଇ ଗୋଡ ହରାଇଛନ୍ତି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ଦୁଇ ଦିବ୍ୟାଙ୍ଗ ବନ୍ଧୁ ଟୁନା ପ୍ରଧାନ ଓ ନିବାସୀ ପ୍ରଧାନ । ଭଗବାନ ଅକ୍ଷମ କରିଛନ୍ତି ସତ ମନରେ ଖୁନ୍ଦି ଦେଇଛନ୍ତି ଦୃଢ ମନୋବଳ । ଯାହାର ଫଳ ସୂରୁପ ଉଭୟ ସମାଜରେ କିଛି କରି ପାରିଛନ୍ତି । ଫାଷ୍ଟଫୁଡ଼ ଦୋକାନ କରି ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ ( dibyanga friend become self dependent) ।
ପିଲାଟି ଦିନରୁ ଟୁନା ପ୍ରଧାନ ଓ ନିବାସୀ ପ୍ରଧାନ ଦୁଇ ବନ୍ଧୁ । ଟୁନା ଚାଲିପାରନ୍ତି ନାହିଁ ଓ ନିବାସୀ ଦୁନିଆର ଆଲୋକ ଦେଖି ପାରନ୍ତି ନାହିଁ । ଏନେଇ ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ । ଦୁଇ ସାଙ୍ଗ ସ୍ୱାବଲମ୍ବୀ ହୋଇଛନ୍ତି । ଫାଷ୍ଟଫୁଡ଼ ଦୋକାନ କରି ଜୀବିକା ଚଳାଉଛନ୍ତି ଦୁଇ ସାଙ୍ଗ । ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଜାତୀୟ ରାଜପଥ ପାର୍ଶ୍ଵରେ ଏକ ଫାଷ୍ଟଫୁଡ଼ ଦୋକାନ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ବର୍ଷ ପୂର୍ବ ଦୁହେଁ ଗାଁରେ ଫାଷ୍ଟପୁଡ ଦୋକାନ କରିଥିଲେ । ମାତ୍ର 2 ଟଙ୍କାରେ ଗ୍ରାହକଙ୍କୁ ଚିକେନ୍ ପକଡ଼ା ଯୋଗାଇ ଦେଉଥିଲେ । ପରିବାର ମଧ୍ୟ ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ହେଲେ 2 ଟଙ୍କାରେ ପକଡା ବ୍ୟବସାୟରେ ଲାଭ କମ କ୍ଷତି ବେଶି ହେଲା । ଏଦାଛଡା କୋରୋନା ପରଠାରୁ ବ୍ୟବସାୟ ହୋଇପାରିନଥିଲା । ଶେଷରେ ଉପାୟ ନ ପାଇ ଏଣେ ତେଣେ ବୁଲୁଥିବା ବେଳେ ଗଞ୍ଜାମ ଜାତୀୟ ରାଜପଥ ପାର୍ଶ୍ଵରେ ଚାହା ଦୋକାନ କରିଥିବା ଜଣେ ଦୋକାନୀ ତାଙ୍କ ଦୋକାନ ପାର୍ଶ୍ଵରେ ଫାଷ୍ଟଫୁଡ଼ ଦୋକାନ ଟିଏ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଏହି ଦିବ୍ୟାଙ୍ଗ ଦୁଇବନ୍ଧୁଙ୍କ ବ୍ୟବସାୟ ଜାରି ରଖିଛନ୍ତି ।
ଏହି ଦୁଇ ବନ୍ଧୁଙ୍କ ଫାଷ୍ଟଫୁଡ଼ ଖାଇବା ପାଇଁ ପ୍ରତ୍ୟେକ ଦିନ ଅଞ୍ଚଳବାସିନ୍ଦାଙ୍କଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ଯାଉଥିବା ବ୍ୟକ୍ତିବିଶେଷଙ୍କ ଭିଡ଼ ଜମୁଥିବା ବେଳେ ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ପ୍ରକାର ପାଟି ସୁଆଦିଆ ଗରମାଗରମ ଖାଦ୍ୟକୁ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି ଦୁଇ ସାଙ୍ଗ । ଦୁଇବନ୍ଧୁଙ୍କ କାହାରି ନିକଟରେ ହାତ ପତେଇବା ଅପେକ୍ଷା ନିଜକୁ ନିଜେ ଆତ୍ମନିର୍ଭରଶୀଳ କରିବା ପାଇଁ ନେଇଥିବା ପଦକ୍ଷେପକୁ ଯିଏ ଦେଖୁଛି ସେ ସାବାସୀ ଦେବା ସହିତ ଏ ଯୁଗର କୃଷ୍ଣ ସୁଦମା ବୋଲି କହିଛନ୍ତି । ପ୍ରତ୍ୟେକ ଦିନ ନିଜ ଗ୍ରାମରୁ ୪ କିଲୋମିଟର ଏହିଠାରେ ବ୍ୟବସାୟ । ବର୍ତ୍ତମାନର ଯୁଗରେ ଅନେକ ଶିକ୍ଷିତ ଯୁବପିଢ଼ି ମାନେ ନିଯୁକ୍ତି ପଛରେ ଦୌଡିଦୌଡି ହତାସ ହେଉଥିବା ବେଳେ ଏହି ଦିବ୍ୟାଙ୍ଗ ଦୁଇଜଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ତେବେ ସରକାରୀ ସାହାଯ୍ୟ ହିସାବରେ ମାସିକ ୭୦୦ ଟଙ୍କା ଭତ୍ତା ମିଳୁଥିବା ବେଳେ ସେମିତି ଅନ୍ୟ କୌଣସି ସୁବିଧା ମିଳୁନାହିଁ । ଏହାସତ୍ତ୍ବେ ଏହି ଦୁଇ ବନ୍ଧୁ ହାର ମାନିନାହାନ୍ତି । ଆଶା ରଖିଛନ୍ତି ସରକାର କିଛି ଆର୍ଥିକ ସହାୟତା ମିଳିଲେ ନିଜର ଛୋଟିଆ ଦୋକାନ ଟିଏ କରିପାରିବେ ।
ଇଟିଭି ଭାରତ, ବ୍ରହ୍ମପୁର