ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାର ଆଇ.ଆଇ.ସି ଦେବ କୁମାର ଗମାଙ୍ଗଙ୍କ ନିଜ ସର୍ଭିସ ରିଭଲଭର ଗୁଳି ଫୁଟି ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ରହିଛି । ହେଲେ ଥାନାଧିକାରୀଙ୍କ ମାନସିକ ଚିନ୍ତା ସହିତ ମାନସିକ ରୋଗ ରହିଥିବା ନେଇ ଯେଉଁ କଥା କୁହାଯାଉଥିଲା ତାହାର ପ୍ରମାଣ ମୃତ୍ୟୁ ପୂର୍ବରୁ ହୋଇଥିବା ବାର୍ତ୍ତାଳାପର ତିନୋଟି ଅଡିଓ ଭାଇରାଲ ପରେ ଘଟଣା ସଂପର୍କରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହୋଇଛି । କ'ଣ ରହିଛି ଏହି ତିନୋଟି ଅଡିଓ ଆସନ୍ତୁ ଶୁଣିବା ।
ଭାଇରାଲ ଅଡିଓ-୧
ପ୍ରଥମ ଅଡ଼ିଓରେ ଜଣେ ପୋଲିସ ଅଧିକାରୀ IIC ଦେବ କୁମାର ଗମାଙ୍ଗଙ୍କ ପତ୍ନୀ କିରଣ ମହାନ୍ତିଙ୍କ ସହିତ କଥା ହେଉଛନ୍ତି । ଏହି ସମୟରେ ସେ IIC ଦେବ କୁମାର ଗମାଙ୍ଗଙ୍କ ଭଉଣୀ ତାଙ୍କୁ ଫୋନ୍ କରିଥିଲେ ବୋଲି କିରଣଙ୍କୁ କହୁଛନ୍ତି । ରିଭଲବର ଧରି IIC ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ନେଇ ପୋଲିସ ଅଧିକାରୀଙ୍କୁ IICଙ୍କ ଭଉଣୀ କହିଥିବା ସେ କିରଣଙ୍କୁ କହୁଛନ୍ତି । ଗମାଙ୍ଗଙ୍କୁ ନେଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଉଥିବା ବେଳେ ସେ ଏକ ଗାଡି କରି ପଠାଉଛନ୍ତି ବୋଲି କହିଛନ୍ତି । ତୁରନ୍ତ ବ୍ରହ୍ମପୁର ଆସିକି କିମ୍ବା ଭୁବନେଶ୍ବରରେ ଯାଇ ମାନସିକ ରୋଗ ବିଭାଗର ଡାକ୍ତରଙ୍କୁ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଉଛନ୍ତି । ଶୁଣନ୍ତୁ ସମ୍ପୂର୍ଣ୍ଣ ଅଡ଼ିଓ...
ଭାଇରାଲ ଅଡିଓ-୨
ଦ୍ବିତୀୟ ଅଡ଼ିଓରେ ପୋଲିସ ଅଧିକାରୀ ଜଣଙ୍କ ନିଜେ ଥାନାଧିକାରୀ ଦେବ କୁମାର ଗମାଙ୍ଗଙ୍କ ସହିତ କଥା ହେଉଥିବା ବେଳେ ନିର୍ବାଚନ ଶେଷ ହୋଇଯାଇଥିବାରୁ ପାଞ୍ଚ ଦିନ ଛୁଟିରେ ଯିବା ପାଇଁ କହୁଛନ୍ତି । ଏପରିକି IICଙ୍କ ପାଖରେ ରହିଥିବା ମାଆଙ୍କ ସହିତ ପୋଲିସ ଅଧିକାରୀ ଜଣଙ୍କ କଥାବାର୍ତ୍ତା ହେବା ସହିତ ପୁଅକୁ ନେଇ ଘରକୁ ଯିବା ପାଇଁ କହିଛନ୍ତି । ଶୁଣନ୍ତୁ ସମ୍ପୂର୍ଣ୍ଣ ଅଡ଼ିଓ...
ଭାଇରାଲ ଅଡିଓ-୩
ତୃତୀୟ ଅଡିଓରେ ପୋଲିସ ଅଧିକାରୀ ଜଣଙ୍କ ଜଣେ ମହିଳାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ମହିଳା ଜଣକ IIC ଦେବ କୁମାର ଗମାଙ୍ଗଙ୍କ ପତ୍ନୀ ବୋଲି ଅନୁମାନ କରାଯାଉଛି । ମହିଳା ଜଣକ ଆଇ.ଆଇ.ସି ଗମାଙ୍ଗଙ୍କୁ ବୁଝାସୁଝା କରି ରଖିବାକୁ ପୋଲିସ ଅଧିକାରୀଙ୍କୁ କହୁଛନ୍ତି । ମହିଳା ଜଣକ ନବରଙ୍ଗପୁରରୁ ବାହାରି ରାତ୍ର ସୁଦ୍ଧା ସେମାନଙ୍କ ନିକଟରେ ପହଞ୍ଚିବା ପରେ ପୂର୍ବରୁ ଚିକିତ୍ସା କରାଉଥିବା ବିଶାଖପାଟଣାକୁ ନେବା ପାଇ କହୁଛନ୍ତି । ଶୁଣନ୍ତୁ ସମ୍ପୂର୍ଣ୍ଣ ଅଡ଼ିଓ...
ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାଧିକାରୀଙ୍କ ମୃତ୍ୟୁ ପୂର୍ବରୁ ପୋଲିସ ଅଧିକାରୀଙ୍କ ସହିତ କଣ ରହିଥିଲା ପରିବାର ବର୍ଗଙ୍କ ବାର୍ତ୍ତାଳାପ ଏ ନେଇ ୩ଟି ଅଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ଥାନାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ରହ୍ମପୁର ଠାରେ ବ୍ୟବଚ୍ଛେଦ କରାଯାଇ ନିଜ ଗ୍ରାମରେ ଗାର୍ଡ ଅଫ୍ ଅର୍ନରରେ ସମ୍ମାନ ଜଣାଇ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି । ସେପଟେ ଏହି ଅଡିଓ ଭାଇରାଲ ପରେ ଘଟଣାକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହୋଇଛି ।
ଅନ୍ୟପଟେ ଏହି ଅଡିଓ ଭାଇରାଲ ଘଟଣାକୁ ନେଇ ଗଞ୍ଜାମ ଏସ୍.ଏସ୍.ପି ବ୍ରିଜେଶ କୁମାର ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଘଟଣା ଦିନ ଥାନାଧିକାରୀଙ୍କ ଭଉଣୀଙ୍କ ଠାରୁ ଫୋନ ସହ କଥା ହେବା ପରେ ଉଚ୍ଚ କର୍ତ୍ତୃପକ୍ଷ ଯାଇ IICଙ୍କୁ ବୁଝାସୁଝା କରିଥିଲେ । ବର୍ତ୍ତମାନ ଏନେଇ ତଦନ୍ତ ଚାଲିଥିବା ବେଳେ ଅଧିକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ