ଭଞ୍ଜନଗର: ଫ୍ୟାନ ଲଗାଇବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ । ଆସିକା ଥାନା ଅଧିନ କାଳଷଣ୍ଢପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଘରର ଏକ ଷ୍ଟାଣ୍ଡ ଫ୍ୟାନ ସଂସ୍ପର୍ଶରେ ଆସି ବିବାହିତ ମହିଳା ମାମୁନି ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ସଂଜ୍ଞାହୀନ ଅବସ୍ଥାରେ ଘରେ ପଡି ରହିଥିବା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଆସିକା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜଵତ କରି ତଦନ୍ତ ଚଳାଇଛି ।
ମିଳିଥିବା ସୂଚନାନୁଯାୟୀ ବିବାହିତ ମହିଳା ମାମୁନି ସ୍ବାଇଁ ଗତ ୪ ବର୍ଷ ହେଲା ହିନ୍ଦୁ ରୀତିନୀତିରେ ଚିନିଶିଳ୍ପ ନୂଆ ଗାଁରେ ଜିତୁ ଖଣ୍ଡୁଆଳକୁ ବିବାହ କରିଥିଲେ । ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ମୃତ ମହିଳା ନିଜ ବାପା ଘର କାଳଷଣ୍ଢପୁର ଗାଁରେ ବାସ କରୁଥିଲେ । ମଙ୍ଗଳବାର ଯୁବତୀ ଜଣକ ଷ୍ଟାଣ୍ଡ ଫ୍ୟାନ ଲଗାଇବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ମାମୁନିର ମୃତ୍ୟୁ ପରେ ତାଙ୍କ ୩ ବର୍ଷର ଝିଅ ମା' ଛେଉଣ୍ଡ ହୋଇଯାଇଛି । ଏଭଳି ଘଟଣାକୁ ନେଇ ଗ୍ରାମରେ ଏ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ