ବ୍ରହ୍ମପୁର: ଆଇପିଏଲରେ ସଟ୍ଟା ଲଗାଇ ବା ବେଟିଂ କରି ଗିରଫ ହେଲେ ତିନି ଯୁବକ । ଗଞ୍ଜାମ ଜିଲ୍ଲା ଆସିକା ଥାନାଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇପିଏଲ 2020 ଚାଲିଥିବାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଟି ମ୍ୟାଚରେ ସଟ୍ଟା ଲଗାଯାଉଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସଟ୍ଟା ଖେଳାଳିଙ୍କୁ ଗିରଫ କରାଯାଉଛି ।
ଆସିକା ଅଞ୍ଚଳରେ ସଟ୍ଟା ଖେଳାଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଆସିକା ଥାନା ପକ୍ଷରୁ ଚଢ଼ାଉ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ 1 ଲକ୍ଷ ୨୭ ହଜାର ୪୫୦ ଟଙ୍କା ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ବ୍ୟାଟିଂରେ ବ୍ୟବହୃତ 5ଟି ମୋବାଇଲ୍ ସମେତ ସଟ୍ଟାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ପ୍ରତିବର୍ଷ ଏଭଳି ସଟ୍ଟାଖେଳରେ ସଂପୃକ୍ତ ଥିବା ନେଇ ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଆସିକା ଥାନା ଅଞ୍ଚଳର ଅଜୟ ଗୌଡ, କୃଷ୍ଣ ସ୍ବାଇଁ ଓ ବିନୋଦ ପରିଡା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ