ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା । ତେବେ ସକାଳେ ଦଣ୍ଡଭଙ୍ଗା ହେବା ପରେ ରାତିରେ ଅପେରା ହୋଇଥାଏ । ତେବେ ଏହାର ଭିତରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି । ଯାତ୍ରା ପେଣ୍ଡାଲରେ ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । ଲୋକମାନଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପେଣ୍ଡାଲରେ ଚାଲିଛି ସାପ ଖେଳ । ତେବେ ଏହି ଘଟଣାଟି ପ୍ରକୃତରେ କେଉଁଠାର ସ୍ପଷ୍ଟ ହୋଇନଥିବା ବେଳେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏହା ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ ହେଉଥିବାରୁ ଏହାକୁ ନେଇ ପିସିସିଏଫଙ୍କୁ ଅଭିଯୋଗ କରିଛି ସ୍ନେକ ହେଲପ୍ ଲାଇନ୍ ।
ଜିଲ୍ଲାର ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରତେକ ବର୍ଷ ଚୈତ୍ର ମାସରେ ଗଞ୍ଜାମରେ ଆୟୋଜିତ ହୋଇଥାଏ ଦଣ୍ଡ ନୃତ୍ୟ । ଯାହାକି ଏହି ଦଣ୍ଡ ନୃତ୍ୟରେ ଲୋକଙ୍କ ମନୋରଞ୍ଜନ କରିବା ସହିତ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏପରି ନିରୀହ ସରିସୃପଙ୍କୁ ବ୍ୟବହାର କରୁଛନ୍ତି କିଛି ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା । ଗତ କିଛି ବର୍ଷ ତଳେ ଏହାକୁ ନେଇ ବନ ବିଭାଗ ପକ୍ଷରୁ କାଡାକଡି ପଦକ୍ଷେପ ନିଆଯିବ ବୋଲି କୁହାଯିବା ପରେ ତାହାକୁ ବନ୍ଦ ରଖାଯିବ ବୋଲି କମିଟି ପକ୍ଷରୁ କୁହାଯାଇଥିବା ବେଳେ ଚଳିତବର୍ଷ ଆରମ୍ଭ ହୋଇଥିବା ଦଣ୍ଡନୃତ୍ୟରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ କରି ଦେଖିବାକୁ ମିଳୁଛି ।
କୋଭିଡର କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଥରେ ଦଣ୍ଡନୃତ୍ୟରେ ଏଭଳି ବିଷାକ୍ତଚ ସର୍ପଙ୍କୁ ନେଇ ଚାଲିଥିବା ବିଭିନ୍ନ ଯାତ୍ରା ପେଣ୍ଡାଲ ମାନଙ୍କରେ ସାପ ଖେଳର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସାପକୁ ଧରି ଖେଳିବା ଓ ତାହା ସହିତ ଫଟୋ ଉଠାଇବା ଉପରେ ସରକାର ରୋକ ଲଗାଇବା ସହିତ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ୯ ନମ୍ବର ଆକ୍ଟରେ ଏ ନେଇ ସର୍ବିଶେଷ ଉଲ୍ଲେଖ ରହିଛି ।
ଯାତ୍ରା ପେଣ୍ଡାଲରେ ଏଭଳି ସାପ ନେଇ ଷ୍ଟଣ୍ଡ କରୁଥିବା ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ଗୋଟିଏ ବିଷଧର ନାଗ ସାପକୁ ଧରି ଖେଳୁଥିବା ତାରି ପାଇଁ ଯେତିକି ବିପଦ ଜନକ ସେଠାରେ ଦେଖୁଥିବା ଅନ୍ୟମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କୁହାଯାଇଛି । ଏଭଳି ଘଟଣା ବାରମ୍ୱାର ଘଟୁଥିବା ଯୋଗୁଁ ଏହାକୁ ନେଇ ବେଆଇନ ଭାବରେ ସାପ ଖେଳ ଦେଖାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ଶେଷରେ ଚିଠି ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଏହା ସହିତ ଉକ୍ତ ଚିଠିର ଏକାକିତ ନକଲ ସେ ୫ଟି ସଚିବ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶିକାଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟପଟେ ଏଭଳି ଘଟଣା ସଂପର୍କରେ ବନ ବିଭାଗର ନଜରକୁ ଆସିନଥିବା ବେଳେ ତାହାର ଘଟଣାସ୍ଥଳରେ ଯାଇ ଅନୁଧ୍ୟାନ ପରେ ଏନେଇ ସ୍ପଷ୍ଟ ଜଣାପଡିବ ବୋଲି କହିଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲିପ ରାଉତ ।
ଇଟିଭି ଭାରତ, ବ୍ରହ୍ମପୁର