ବ୍ରହ୍ମପୁର: 15 ହଜାର ଚକ୍ଷୁ ରୋଗୀଙ୍କ ହେବ ମାଗଣା ଅସ୍ତ୍ରପଚାର । ବ୍ରହ୍ମପୁର ସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ଏଭଳି ଘୋଷଣା କରିଛି । ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜିଳି ନିକଟବର୍ତ୍ତୀ ସମରଝୋଳ ଠାରେ ରହିଥିବା ରହିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଲଙ୍ଗ ସର୍ଭିସ ଆୱାର୍ଡ ପ୍ରଦାନ ଉତ୍ସବରେ ମତବ୍ୟକ୍ତ କରିଛନ୍ତି ଏହାର ଟ୍ରଷ୍ଟି ଓ ବରିଷ୍ଠ କର୍ମକର୍ତ୍ତା । 2016 ମସିହାରେ ରାଜ୍ୟ ସରକାରଙ୍କ ସହଯୋଗରେ କାଞ୍ଚି ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ପରିଚାଳିତ ଏହି ଚକ୍ଷୁ ଚିକିତ୍ସାଳୟ ଦକ୍ଷିଣ ଓଡିଶାର ଗରୀବ ରୋଗୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ଚକ୍ଷୁ ରୋଗର ଉପଶମ ପାଇଁ ପ୍ରତ୍ୟେକ୍ଷ ଭାବରେ ସହାୟତା କରି ଆସୁଛି । ମୁଖ୍ୟତଃ ଗ୍ରାମାଞ୍ଚଳରେ ରହିଥିବା ଚକ୍ଷୁ ରୋଗୀଙ୍କୁ ଚିହ୍ନଟ କରି ଆଣି ସେମାନଙ୍କ ପାଇଁ ରହିଥିବା ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛି । ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଡାକ୍ତର ଚକ୍ଷୁ ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେ ଯୋଗାଇ ଆସୁଛି ।
ଏହି ଚିକିତ୍ସାଳୟ ଗତ ବର୍ଷ ପ୍ରାୟ ପାଖାପାଖି 10 ହଜାର ଚକ୍ଷୁରୋଗୀଙ୍କ ଅସ୍ତ୍ରପଚାର କରି ସଫଳତା ପାଇଥିବା କୁହାଯାଇଛି । ଏଣୁ ଟ୍ରଷ୍ଟି ପକ୍ଷରୁ ପରିଚାଳିତ ହେଉଥିବା ଏହି ଚିକିତ୍ସାଳୟରେ ସେବା ପ୍ରଦାନ କରି ଆସୁଥିବା କର୍ମକର୍ତ୍ତାଙ୍କୁ ଏହି ଅବସରରେ ଲଙ୍ଗ୍ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଗ୍ରାମାଞ୍ଚଳରେ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ କ୍ୟାମ୍ପ କରାଯାଉଛି । ମେଧାବୀ ବାଳିକା ବିଦ୍ୟାର୍ଥୀଙ୍କୁ ଚିକିତ୍ସାଳୟ ପରିଚାଳନା ଏବଂ ଚିକିତ୍ସକମାନଙ୍କୁ ସହଯୋଗ ଭଳି ବିଷୟର ଶିକ୍ଷା ଦିଆଯାଉଛି । ବାଳିକାଙ୍କୁ ବିନା ଅର୍ଥରେ ଶିକ୍ଷାଦାନଠାରୁ ଆରମ୍ଭ କରି ରହିବା, ଖାଇବା, ଷ୍ଟାଇପେଣ୍ଡ ପ୍ରଦାନ କରାଯିବା ସହିତ ଶିକ୍ଷା ଶେଷରେ ନିଯୁକ୍ତି ମଧ୍ୟ ପ୍ରଦାନ କରାଯଉଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ଚିକିତ୍ସାଳୟର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବି ବି.ଶ୍ରୀନିବାସ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁର ତହସିଲଦାର ପ୍ରଭାତ କୁମାର ପରିଡା ଯୋଗ ଦେଇଥିଲେ । ଏହାସହ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଖଲ୍ଲିକୋଟ ଏନ୍.ଏ.ସି ର ଅଧ୍ୟକ୍ଷ ନିରଞ୍ଜନ ବେହେରା , ହିଞ୍ଜିଳିକାଟୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍.ରଘୁନାଥ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ଏସ୍.ବିଶ୍ୱନାଥନ୍, ଜ୍ୟୋତିବିଦ୍ ଡା.ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଗରୀବ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଗତ କିଛିବର୍ଷ ଧରି ଲଗାତର ଭୂମିକାକୁ ପ୍ରଶଂସା କରିଥିଲେ ।
ଇଟିଭି ଭାରତ ବ୍ରହ୍ମପୁର