ଭଞ୍ଜନଗର: ମହାମାରୀରେ ମୃତଦେହକୁ ଆଡ଼ ଆଖିରେ ବି ଚାହୁଁ ନାହାନ୍ତି ଘର ପରିବାର ଲୋକ । ଏଭଳି ସ୍ଥିତିରେ ଆଜିବି କେତେକ ଲୋକଙ୍କ ମନରେ ବଞ୍ଚି ରହିଛି ମାନବିକତା । କୋଭିଡ ସନ୍ଦିଗ୍ଧଙ୍କ ଅନ୍ତିମ ସତ୍କାର କରି ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ ସରପଞ୍ଚ ଶିବ ଶଙ୍କର ପ୍ରଧାନ । ସଙ୍କଟ ସମୟରେ ପଦବୀର ଅହଂ ଭାବ ନରଖି ଜଣେ ବୟସ୍କ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କରାଇଛନ୍ତି ଶିବ ଶଙ୍କର ।
ଭଞ୍ଜନଗରସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟରରେ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଥିଲା । ମୃତକ ଭଞ୍ଜନଗର ମୁଜାଗଡ଼ ବାସିନ୍ଦା ଶଶି ପ୍ରଧାନ । ଏହି 60 ବର୍ଷ ବୟସ୍କଙ୍କ ମୃତ୍ୟୁପରେ ପରିବାର ଲୋକେ ମୃତଦେହ ନେବାକୁ ମନା କରି ଦେଇଥିଲେ । ପରିବାରରେ ତାଙ୍କ ପତ୍ନୀ, ଝିଅ, ବୋହୁ ଓ ପୁଅ ଥିଲେ ମଧ୍ୟ ସେମାନଙ୍କ ପାଇଁ ଅଲୋଡ଼ା ହୋଇଯାଇଥିଲେ ଶଶି ପ୍ରଧାନ ।
ଏହାପରେ ବହୁ ସମୟ ମୃତଦେହ ପଡ଼ି ରହିଥିବା କଥା ଶୁଣି ସରପଞ୍ଚ ଶିବ ଶଙ୍କର ପ୍ରଧାନ ଓ ଦୁଇ ଜଣ ସମଜାସେବୀ ମୃତଦେହକୁ କାନ୍ଧ ଦେଇଥିଲେ । ଗାଁ ମୁଣ୍ଡରେ ଥିବା ଶ୍ମସାନରେ ମୃତକଙ୍କ ଶେଷକୃତ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ମୁଜାଗଡ଼ ପଞ୍ଚାୟତ ସରପଞ୍ଚ ଶିବ ଶଙ୍କର ପ୍ରଧାନ । ଏହାକୁ ନେଇ ସରପଞ୍ଚଙ୍କୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ