ବ୍ରହ୍ମପୁର: ରାଜ୍ୟର ଲୁଣ ଚାଷ କହିଲେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳ କଥା ମନେ ପଡେ । ହେଲେ ଗତ କିଛି ବର୍ଷ ମଧ୍ୟରେ ଏଠାରେ ସ୍ଥାନୀୟ ଅଞ୍ଚଳର ଲବଣ ଚାଷୀ ଉତ୍ପାଦନ କରୁଥିବା ଲୁଣର ବଜାରରେ ସଠିକ୍ ମୂଲ୍ୟ ମିଳୁନାହିଁ । ଅନ୍ୟପଟେ ସମୁଦ୍ରପାଣି ଚାଷ ଜମି ନିକଟକୁ ଆସିବା ଏକ ପ୍ରକାର କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଚାଷୀମାନେ ଦାଦନ ଖଟିବାକୁ ଯାଉଛନ୍ତି ।
ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ହୁମା ଅଞ୍ଚଳର ବହୁ ଶ୍ରମିକ ସମୁଦ୍ର ଜଳକୁ ଆଣି ନିଜର ଚାଷ ଜମିରେ ଲୁଣ ମାରି ଜୀବିକା ନିର୍ବାହ କରନ୍ତି । ହେଲେ ଏବେ ଏହି ଲବଣ ଶ୍ରମିକଙ୍କ ଜୀବିକା ବିପନ୍ନ । ଲୁଣ ମାରିବା ପାଇଁ ଚାଷ ଜମିରେ ଶ୍ରମିକଟିଏ ତାର ପରିବାର ବର୍ଗ ସହିତ ଅତ୍ୟନ୍ତ କଷ୍ଟରେ ସମୁଦ୍ର ଜଳରୁ ଲୁଣ ଆଦାୟ କରୁଥିଲେ ମଧ୍ୟ ତାହାର ସଠିକ ମୂଲ୍ୟ ମିଳିପାରୁନଥିବା ବେଳେ ସମୁଦ୍ରପାଣି ଚାଷ ଜମି ନିକଟରେ ପହଞ୍ଚିବା ଏକ ପ୍ରକାର କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ ।
ହୁମ୍ମା ଅଞ୍ଚଳରୁ ପୂର୍ବରୁ ହଜାର ହଜାର ଟନ ଲୁଣ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବାବେଳେ ଏବେ ଲୁଣ ଚାଷୀ ଲୁଣ ଚାଷ କରିବାରୁ ମୁହଁ ଫେରାଇ ନେଉଛନ୍ତି । ଏହାର କାରଣ ଅନୁଧ୍ୟାନ କଲେ ଜମିରେ ସେମାନେ ଯେଉଁ ପରିମାଣର ଶ୍ରମଦାନ କରୁଛନ୍ତି ସେହି ଅନୁପାତରେ ଲିଜ୍ ଧାରୀଙ୍କ ଠାରୁ ଉଚିତ ପାରିଶ୍ରମିକ ମିଳୁନାହିଁ ।
ସେପଟେ ବଜାରରେ ଲୁଣ ପ୍ୟାକେଟ ପିଛା 12 ରୁ 15 ଟଙ୍କା ଥିବା ବେଳେ ଚାଷୀ କିଲୋ ପିଛା ମାତ୍ର 50 ପଇସାରୁ ଏକ ଟଙ୍କାରେ ଲୁଣ ବିକ୍ରି କରିଥାଆନ୍ତି । ରାଜ୍ୟରେ ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ହୁମା ଗତ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୁଣ ଉତ୍ପାଦନ ବନ୍ଦ ରହିଛି । ରାଜ୍ୟରେ ବର୍ଷକୁ ପ୍ରାୟ 6 ରୁ 7 ଲକ୍ଷ ଟନ ଲୁଣ ଆବଶ୍ୟକ ପଡୁଥିବା କୁହାଯାଉଥିବା ବେଳେ ଏହାର ଉତ୍ପାଦନ କମିବାରେ ଲାଗିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ଏପରିକି ଦୀର୍ଘ ଦିନ ଧରି ଲବଣ ଉତ୍ପାଦନ ହୋଇନପାରିନଥିବା ଜମିକୁ ଶ୍ରମିକ ମାନଙ୍କୁ ଲିଜ ସୂତ୍ରରେ ଦେବା ଏବଂ ଏହି ଲବଣ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି ।
ତେବେ ଏନେଇ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇ ଆଲୋଚନା କରିବେ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ