ବ୍ରହ୍ମପୁର: ମୃତ ଗୃହରକ୍ଷୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ଗୃହରକ୍ଷୀ ସଂସ୍ଥା । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନାରେ କାର୍ଯ୍ୟରତ ଥିବା ଗୃହରକ୍ଷୀ ସୁଧାଂଶୁ ଶେଖର ଦାସଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ଗୃହରକ୍ଷୀ ସଂସ୍ଥା ପକ୍ଷରୁ ଏକ ଲକ୍ଷ ୮୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନାନୁଯାୟୀ ଗତ ଡିସେମ୍ବର ୨୯ ତାରିଖରେ ଶାରୀରିକ ଅସୁସ୍ଥତା କାରଣରୁ ଏହି ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗଞ୍ଜାମ ଜିଲ୍ଲାର ଛଅ ଶହ ଗୃହରକ୍ଷୀ ନିଜ ଗୋଟିଏ ଦିନ ଦରମା ହିସାବରେ ଏକ ଲକ୍ଷ ୮୦ ହଜାର ଟଙ୍କା ଓ ହୋମଗାର୍ଡ କାର୍ଯ୍ୟାଳୟର କର୍ମଚାରୀଙ୍କ ୪ ହଜାର ଟଙ୍କା ମିଶାଇ ସମୁଦାୟ ଅର୍ଥ ମୃତକଙ୍କ ଧର୍ମପତ୍ନୀ ମମତା ଦାଶଙ୍କୁ ପ୍ରଦାନ କରାଯାଇଛି ।
ଗତ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ମୃତ ସୁଧାଂଶୁ ଗୃହରକ୍ଷୀ ଭାବରେ ଯୋଗ ଦେଇଥିଲେ । ତେବେ ମୃତକଙ୍କ ପରିବାରକୁ ଟଙ୍କା ଦେବାବେଳେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ସଜେଣ୍ଟ ସଞ୍ଜୟ ବାରିକ, ଡିଏସଆଇ ଲକ୍ଷ୍ମୀଧର ସେଠୀ, ହୋମଗାର୍ଡ କମ୍ପାନୀ କମାଣ୍ଡର ଏସ ପର୍ଶୁରାମ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ