ଗଞ୍ଜାମ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଏଥିପାଇଁ ଜିଲ୍ଲାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଆଉ ଏହାରି ମଧ୍ୟରେ ଜିଲ୍ଲାର ବହୁ ପୂରାତନ ଦିଗପହଣ୍ଡି ଅଞ୍ଚଳର ରାମନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଉଦୟନାଥେଶ୍ବର ଶୈବପୀଠ । ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଭୀଷ୍ଣଗିରି ନିକଟବର୍ତ୍ତୀ ଏହି ମନ୍ଦିର ଗଙ୍ଗବଂଶ ସମୟରୁ ରହି ଆସିଛି । କିନ୍ତୁ ବର୍ତ୍ତମାନ ପ୍ରାକୃତିକ ଶୋଭାରାଜି ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ରାମନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଉଦୟନାଥେଶ୍ବର ଶୈବପୀଠ । ମନ୍ଦିରର ଗୋଟିଏ ପଟେ ରାମନଦୀ ଜଳସେଚନ ଯୋଜନାର କଳ କଳ ନାଦରେ ବହିଯାଉଛି ଜଳରାଶି । ଅନ୍ୟପଟେ ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ପୀଠ ଗଙ୍ଗବଂଶ ସମୟରୁ ରହିଥିବା ଜଣାପଡେ । ମନ୍ଦିରରେ ପ୍ରାୟ ୨୦ ଫୁଟ ତଳେ ମହାଦେବ ପୂଜା ପାଇ ଆସୁଛନ୍ତି । ମହାଦେବଙ୍କୁ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନଙ୍କ ସୁଅ ଛୁଟିଥାଏ ।
ସେହିପରି ବର୍ଷର ବିଭିନ୍ନ ସମୟରେ ଏଠାରେ ପ୍ରାକୃତିକ ପରିବେଶ ଉପଭୋଗ ସାଙ୍ଗକୁ ମହାଦେବଙ୍କୁ ଦର୍ଶନ କରିବା ସହ ବଣଭୋଜି କରିବାକୁ ମଧ୍ୟ ଭକ୍ତ ମାନେ ଏଠାରେ ଭିଡ ଜମାଇଥାନ୍ତି । ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଛି । ସେପଟେ ଗତ ୧୯୭୪ ମସିହା ମାର୍ଚ୍ଚ ମାସର ୧୬ ତାରିଖରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥି ପୀଠ ନିକଟରେ ରାମନଦୀ ଜଳସେଚନ ଯୋଜନାର କାର୍ଯ୍ୟ ଆରମ୍ଭ କରିବାକୁ ଆସି ଭିତ୍ତିପ୍ରସ୍ତର ଦେଇଥିବାର ଜଣାପଡେ ।
ଏପରିକି ପୀଠର ନିକଟରେ ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବରେ ରହିଥିବା ବେଳେ ବ୍ରହ୍ମପୁରର ବର୍ତ୍ତମାନର ସାଂସଦ ନିଜ ପାଣ୍ଠି ବିନିଯୋଗ କରି ଅତିଥି ଭବନ ନିର୍ମାଣ କରିଛନ୍ତି । ସେହିପରି ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ପୁରାତନ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଉଦୟନାଥଶ୍ବର ପୀଠକୁ ଭକ୍ତଙ୍କ ଆଗମନ ଦୃଷ୍ଟିରେ ରଖି ପୀଠର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ମନ୍ଦିର କମିଟିର କର୍ମକର୍ତ୍ତାଙ୍କ ସମେତ ପର୍ଯ୍ୟଟକ ।
ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ରହିଥିବା ପୁରାତନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲ୍ଲାର ପୁରାତନ ଐତିହ୍ୟ ଓ ସଂସ୍କୃତି ବହନ କରୁଥିବା ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଭୀଷ୍ଣଗିରି ନିକଟବର୍ତ୍ତୀ ବଡପଦାର ଉଦୟନାଥେଶ୍ବର ଶୈବ ପୀଠର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଗଞ୍ଜାମ