ଗଞ୍ଜାମ: ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷ ର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ବୃଦ୍ଧଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଜଙ୍ଗଲରେ ପୋତି ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ବାଣିଆ ପଞ୍ଚାୟତର ବି.ନୂଆପାଲି ଗ୍ରାମରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । ଏହାକୁ ନେଇ ମୃତକଙ୍କ ଭାଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମୃତକ ବି.ନୂଆପାଲି ଗ୍ରାମର ୬୦ ବର୍ଷର ବୃଦ୍ଧ ଯୁଧିଷ୍ଠିର ପ୍ରଧାନ ବୋଲି ଜଣା ପଡ଼ିଛି । ଗତ ୩ ଦିନ ପୂର୍ବେ ସେ ସାଇକେଲ ଯୋଗେ ସ୍ଥାନୀୟ ଅଲିପୁର ଗ୍ରାମକୁ କିଛି ଦସ୍ତାବିଜ୍ ଜେରକ୍ସ କରିବାକୁ ଯାଇଥିଲେ । ଫେରିବା ବେଳେ ତାଙ୍କୁଗ୍ରାମ୍ୟ ଜଙ୍ଗଲ ନିକଟରେ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ମାଡ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ । ଏହାପରେ ଦୁଇଟି ପୃଥକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।
୩ଦିନ ପର୍ଯ୍ୟନ୍ତ ଯୁଧିଷ୍ଠିର ଘରକୁ ନଫେରିବାରୁ ତାଙ୍କ ସାନଭାଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିଲା । ଶେଷରେ ଯୁଧିଷ୍ଠିରଙ୍କୁ ପୋତାଯାଇଥିବା ସ୍ଥାନକୁ ଠାବ କରାଯାଇଥିଲା । ସାଇଣ୍ଟିଫିକ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ମାଟି ତଳୁ ବାହାର କରାଯାଇଛି । ସେହି ସ୍ଥାନରେ ଯୁଧିଷ୍ଠିରଙ୍କ ଗାମୁଛା, ଚପଲ ଓ ଜେରକ୍ସ କାଗଜ ପଡିଥିବା ବେଳେ ଅଳ୍ପ ଦୂରରେ ସାଇକେଲ ପଡିଥିବା ଦେଖିବାକୁ ମିଳିଛି ।
ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ ଗ୍ରାମର 3 ଜଣ ମହିଳା ଓ 2 ଜଣ ପୁରୁଷଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ସେପଟେ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧି ଭଳି ଘଟଣାକୁ ନେଇ ଏଭଳି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଗାମୀ ଦିନରେ ଏହାକୁ ନେଇ ବ୍ୟାପକ ସଚେତନତା କରାଯିବ ବୋଲି ସେ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ