ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଏଡସ୍ ଗ୍ରାଫ୍ ମଧ୍ୟରେ ସର୍ବାଗ୍ରେ ରହୁଥିବା ଜିଲ୍ଲା ମାନଙ୍କ ମଧ୍ୟରୁ ଗଞ୍ଜାମର ସଂଖ୍ୟା ଦେଖିଲେ ଏକ ପ୍ରକାର ଚିନ୍ତା ପ୍ରକଟ ହେଉଥିଲା । ହେଲେ ଧିରେ ଧିରେ ଗଞ୍ଜାମରେ ତଳମୁହାଁ ହେବାରେ ଲାଗିଛି ଏହି ଗ୍ରାଫ୍ । କୋରୋନା ମହାମାରୀ ସତ୍ତ୍ଵେ ଚଳିତ ବର୍ଷ ଏହି ସଂଖ୍ୟା ରହିଛି ୩୪୦ । ଚଳିତବର୍ଷ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୯୨୧ ରହିଥିବା ଜଣାଯାଏ । ୨୦୦୮ ବେଳକୁ ଗଞ୍ଜାମ ଜିଲ୍ଲାରେ ବାର୍ଷିକ ୧୫୬୧ ନୂତନ ରୋଗୀ ଚିହ୍ନଟ ହେଉଥିଲେ । ସେତେବେଳେ ପରୀକ୍ଷଣ କମ ହେଉଥିବା ବେଳେ ରୋଗୀ ସଂଖ୍ୟା କିନ୍ତୁ ଅଧିକ ରହୁଥିଲା । କିନ୍ତୁ, ଏବେ ସେହି ସ୍ଥିତି ବଦଳିବାରେ ଲାଗିଛି । ପରୀକ୍ଷଣ ବଢିବା ସହ ରୋଗୀ ସଂଖ୍ୟା ବହୁ ମାତ୍ରାରେ କମିଥିବା ଜଣାପଡେ ।
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୨୬ ହଜାର ୮୩୯ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରୁ ରାଜ୍ୟର ସର୍ବାଧିକ ଏଡ୍ସ ରୋଗୀ ଚିହ୍ନଟ ହେଉଥଲେ । ଏହି ଜିଲ୍ଲାର ପାଖାପାଖି ୮ରୁ ୧୦ ଲକ୍ଷ ବ୍ୟକ୍ତି ବିଶେଷ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଗୁଜୁରାଟ, ନୂଆଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଭଳି ରାଜ୍ୟରେ ରହି କୁଶଳି ଶ୍ରମିକ ଭାବେ କାର୍ଯ୍ୟ କରି ଫେରିବା ପରେ ମୁଖ୍ୟତଃ HIV ସଂକ୍ରମିତ ହେବା ସହ ପରିବାରରେ ଅନ୍ୟମାନଙ୍କୁ ସଂକ୍ରମିତ କରାଇବା ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ ।
ଏବେବି ରାଜ୍ୟର ସମୁଦାୟ ଏଡସ୍ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ରହିଛନ୍ତି ପ୍ରାୟ ୩୨ ପ୍ରତିଶତ । ଜିଲ୍ଲାରେ ଅଦ୍ୟାବଧି ୯୬୦ ଜଣ ଶିଶୁ ଏଚ୍.ଆଇ.ଭିରେ ଆକ୍ରାନ୍ତ ରହିଥିବା ବେଳେ ଏଡ୍ସରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀଙ୍କ ଠାରୁ ଜନ୍ମିତ ନବଜାତକଙ୍କୁ ଦୂରେଇ ରଖିବାରେ ଗଞ୍ଜାମ ଅନେକ ସଫଳ ହୋଇଛି । ଚଳିତବର୍ଷ ୨୪ ଜଣ ମହିଳା ଗର୍ଭବତୀ ସମୟରେ ଆକ୍ରାନ୍ତ ରହିଥିବା ସରକାରୀ ତଥ୍ୟରୁ ଜଣାପଡେ । ହେଲେ ମୋଟ ସଂଙ୍କ୍ରମିତଙ୍କ ମଧ୍ୟରୁ ବହୁ କମ୍ ପରିମାଣର ବ୍ୟକ୍ତିବିଶେଷ ଏ.ଆର୍.ଟି ଔଷଧ ସେବନ କରୁଥିବାରୁ ଅନ୍ୟମାନଙ୍କ ସ୍ଥିତି କ’ଣ ରହିଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଥିବା କୁହାଯାଇଛି ।
କୋଭିଡ ମହାମାରୀ ଯୋଗୁଁ ଏଚ୍.ଆଇ.ଭି ସଂକ୍ରମିତ ମାନେ ଏ.ଆର୍.ଟି ସେଣ୍ଟରକୁ ଆସି ଔଷଧ ନେବାରେ ଅନେକ ଅସୁବିଧାର ସମୁଖିନ ହୋଇଛନ୍ତି । ସେହିପରି ଗତ ବର୍ଷ କୋରୋନା ମହାମାରୀ ସତ୍ତ୍ବେ ଜିଲ୍ଲାର ୧,୦୭, ୮୪୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୯୮ ଜଣଙ୍କ ଠାରେ ଏଡ୍ସ ଚିହ୍ନଟ ହୋଇଥିଲା । ୨୦୧୯ରେ ୧ ଲକ୍ଷ ୨୫ ହଜାର ୮୯୨ ଜଣଙ୍କ ରକ୍ତ ପରୀକ୍ଷଣରୁ ୬୭୭ ଜଣ, ୨୦୧୮ରେ ୧ ଲକ୍ଷ ୨୬ ହଜାର ୨୩୯ଟି ପରୀକ୍ଷଣରୁ ୬୭୧, ୨୦୧୭ରେ ୧ ଲକ୍ଷ ୩୪ ହଜାର ୦୧୬ ପରୀକ୍ଷଣରୁ ୬୫୯ ଓ ୨୦୧୬ରେ ୧ ଲକ୍ଷ ୪ ହଜାର ୨୦୫ଟି ପରୀକ୍ଷଣରୁ ୮୧୦ ଜଣଙ୍କ ଠାରେ ଏଡ୍ସ ଚିହ୍ନଟ ହୋଇଥିଲା ।
ଗତ କିଛି ବର୍ଷ ହେବ ଏହି ବ୍ଲକରେ ଏଡ୍ସ ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଏଡସ୍ର ଭୟାବହତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ନାକୋ) ଓ ରାଜ୍ୟ ସରକାରଙ୍କ ଓସାକସ୍ ଜରିଆରେ ଏଡସ୍ ନିୟନ୍ତ୍ରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅନେକ ସଚେତନତା କରାଯାଉଛି । ହେଲେ ଏବେ ମଧ୍ୟ ଆହୁରି ଅନେକ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଉଚ୍ଚଶିକ୍ଷିତଙ୍କ କ୍ଷେତ୍ରରେ ସାମାଜିକ ବ୍ୟାଧି ରହିଥିବା କାରଣରୁ HIV ଆକ୍ରାନ୍ତଙ୍କ ମଧ୍ୟରୁ କାହାର ଦୁର୍ଘଟଣା ହେଉ ବା କୌଣସି ଅସ୍ତ୍ରୋପ୍ରଚାର ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଜଣେ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି ।
ଗୋଟିଏ ପଟେ କୋଭିଡର ମହାମାରୀ ଏବଂ ଅନ୍ୟପଟେ ଏଭଳି ସମୟରେ ଅସାମାନତା ସମାପ୍ତ କରି ଏଡସକୁ ଶେଷ କରିବାକୁ ଦିଆଯାଇଥିବା ଆହ୍ବାନ କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ତେ ଆଗେଇ ଆସିବା ସହ ଏହାକୁ ସଫଳ କରିବାର ସଂଙ୍କଳ୍ପ ନେବାର ଆବଶ୍ୟକତା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ