ବ୍ରହ୍ମପୁର:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶେରଗଡ଼ ବ୍ଲକ ଅନ୍ତର୍ଗତ ବାଦଗଡ଼ ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ବାବୁ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ବୁଧବାର ରାତିରେ ଗ୍ରାମର ବାବୁ ଗ୍ରାମର ଶିବ ମନ୍ଦିର ନିକଟ ରାସ୍ତାରେ ଆସୁଥିଲେ । ସେହି ସମୟରେ ତାଙ୍କୁ ପାଞ୍ଚରୁ ଛଅଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ବାବୁ ପ୍ରଧାନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଶେରଗଡ଼ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯାୟୀ, ମୃତ ବାବୁ ପ୍ରଧାନ ତିନୋଟି ମର୍ଡର କେସରେ ସଂପୃକ୍ତ ଥିଲେ । ସେଥିପାଇଁ ଜେଲ ଯାଇ ଗତ କିଛି ଦିନ ତଳେ ଫେରିଥିବା ବେଳେ ଗ୍ରାମରେ ରହୁ ନଥିଲେ । କିନ୍ତୁ ଗ୍ରାମକୁ କୋଠିଶାଳା ଯାତ୍ରା ନିମନ୍ତେ ଯାଇଥିବା ସମୟରେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀ ମାନେ ବାବୁଙ୍କ ମୁଣ୍ଡ, ଗୋଡ଼,ହାତ, ପିଠିରେ ଖଣ୍ଡାରେ ହାଣିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହିଭଳି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ