ବ୍ରହ୍ମପୁର: ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଲେ ଦୁର୍ବୃତ୍ତ । ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ ହେବା ଘଟଣାର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି କିଭଳି ଜଣେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଛନ୍ତି ତାହା ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ହଠାତ ୨ଜଣ ବ୍ୟକ୍ତି ପଛରୁ ଆସୁଥିଲେ, ଏହା ପରେ ମଉକା ଦେଖି ମହିଳା ହାତରେ ଧରିଥିବା ଭ୍ୟାନିଟକୁ ଦୁଇ ଜଣ ବ୍ୟକ୍ତି ଛଢାଇ ନେଇ ପଳାଇ ଯାଉଥିବା ଦେଖିବାକୁ ମିଳିଛି । ଏହାପରେ ମହିଳା ଜଣଙ୍କ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି ।
ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି କେଶପୁର ପଞ୍ଚାୟତର ମୋହନପୁର ଗ୍ରାମର କାଳୁ ପଲେଇଙ୍କ ପତ୍ନୀ ପୁଷ୍ପା ପଲେଇ । କେଶପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଥିବା ଜନସେବା କେନ୍ଦ୍ରରେ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ଛକ ଠାରୁ ଅଳ୍ପ ଦୂରରେ ଏକ ମଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେଇଥିଲେ । ଯାହା ସିସିଟିଭିରେ କଏଦ ହୋଇଥିଲା ।
ଭ୍ୟାନିଟ୍ ବ୍ୟାଗକୁ ଟାଣି ନେବା ସମୟରେ ମହିଳା ଜଣକ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ । ଭ୍ୟାନିଟ୍ ଭିତରେ ୧୫ ହଜାର ଟଙ୍କା ସହ ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ, ପାନ କାର୍ଡ ପ୍ରଭୃତି ରହିଥିବା ମହିଳା ଜଣକ କହିଛନ୍ତି । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ
ତେବେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଲୁଟ ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଦିନ ତଳେ ଏକ ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଗିରଫ କରିଥିଲା ଶେରଗଡ଼ ପୋଲିସ ଏଥିରେ ପୋଲିସ ବହୁ ପରିମାଣର ନାମୀଦାମୀ କମ୍ପାନୀର ମୋବାଇଲ ସହିତ ପ୍ରାୟ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନୂତନ ଲାପଟପ, ସିସିଟିଭି ଭଳି ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ ଜବତ କରିଥିଲା ।
ଇଟିଭି ଭାରତ, ବ୍ରହ୍ମପୁର