ବ୍ରହ୍ମପୁର: ଜ୍ୟେଷ୍ଠ ମାସ ଶୁକ୍ଲ ଏକାଦଶୀ ତିଥୀରେ ବ୍ରହ୍ମପୁର ସହରର ଗୋକୁଳଧାମରେ ଅନୁଷ୍ଠିତ ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ଉତ୍ସବ। ଏହି ଉତ୍ସବ ପାରମ୍ପରିକ ରୀତିନୀତିରେ ସମାପନ ହୋଇଛି । ଭଗବାନଙ୍କ ବିବାହ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିଲେ ।
ଜ୍ୟେଷ୍ଠ ମାସ ଶୁକ୍ଲ ଏକାଦଶୀରେ ବ୍ରହ୍ମପୁରର ଗୋକୁଳଧାମରେ ସମ୍ପନ୍ନ ହୋଇଛି ଶ୍ରୀକୃଷ୍ଣ ଏବଂ ଦେବୀ ରୁକ୍ମଣୀଙ୍କ ବିବାହ । ଘଣ୍ଟ ଘଣ୍ଟା, ଶଙ୍ଖ ଓ ହୁଳହୁଳି ଶବ୍ଦରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି । ବାଟବରଣଠାରୁ ଆରମ୍ଭ କରି ଅଳତା ସିନ୍ଦୂର , ହାତଗଣ୍ଠି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବିଧି ଅନୁସାରେ ସମ୍ପନ୍ନ ହୋଇଛି । ଉଭୟ କନ୍ୟା ପକ୍ଷ ଓ ବର ପକ୍ଷ ବିବାହର ସମସ୍ତ କାର୍ଯ୍ୟ ତୁଲାଇଛନ୍ତି ।
ଶ୍ରୀକୃଷ୍ଣଙ୍କ ବରଯାତ୍ରୀ ଦଳ ଏକ ବିରାଟ ପଟୁଆରରେ କନ୍ୟା ଘରକୁ ଆସିଥିଲେ । ଏହି ଅବସରରେ ସହରବାସୀଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ବିବାହ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରୁକ୍ମିଣୀଙ୍କ ବିବାହ ଅବସରରେ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଯାଇଥିଲା ।
ରାଜ୍ୟରେ ବ୍ରହ୍ମପୁର ସହରର ଗୋକୁଳଧାମରେ ହିଁ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଉଭୟ ରାଧା ଓ ରୁକ୍ମିଣୀ ପୂଜା ପାଇ ଆସୁଛନ୍ତି । ତେଣୁ ଏହି ବିବାହ ବେଶ ଆକର୍ଷଣୀୟ ଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ