ବ୍ରହ୍ମପୁର: ନୃଶଂସ...ବର୍ବର...ଅମାନୁଷିକ । ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ପାଲଟିଗଲା ସଇତାନ, ସ୍ତ୍ରୀକୁ କରିଦେଲା ଖଣ୍ଡ ଖଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ଶରୀରରୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀକୁ ଫୋପାଡି ଦେଲା ସ୍ବାମୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀର ଶରୀରରୁ ହାତ, ଗୋଡ଼, ଜଙ୍ଘ, ବେକକୁ ଅଲଗା କରି ଦେଇଥିଲା ପତ୍ନୀହନ୍ତା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ବୁଲି ମୂଳି (25 ବର୍ଷ) । ଏଭଳି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି (30 ବର୍ଷ) ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀରୁ ମହିଳାଙ୍କ ମୃତଦେହ ଖୋଜୁଛନ୍ତି ।
ପ୍ରେମ ବିବାହ କରିଥିଲେ ବୁଲି ଓ ନାରାୟଣ: ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ବୁଲି ଓ ନାରାୟଣ ବିବାହ କରିବାକୁ ସ୍ଥିର କଲେ । ପରିବାରର ସହମତି କ୍ରମେ ଗତ ତିନି ମାସ ତଳେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ବୁଲିଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିବାକୁ କଥା ଦେଇଥିଲେ ନାରାୟଣ । କିନ୍ତୁ 7 ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମରେ ସାଥି ହୋଇ ରହିବା ମୁସ୍କିଲ ହୋଇପଡିଲା । କିଛି ଦିନ ତଳେ ବୁଲି ତାଙ୍କ ବାପ ଘରକୁ ଆସିଥିଲେ ବୁଲିବାକୁ । 2ରୁ 3 ଦିନ ତଳେ ନାରାୟଣ ଶ୍ୱଶୁର ଘରକୁ ଯାଇ ଫେରିବା ବେଳେ ପତ୍ନୀ ବୁଲିଙ୍କୁ ସାଥୀରେ ନେଇ ଆସିଥିଲେ । ଏହାପରେ ଶାଶୁ ଘରେ ଘର କାମରେ ବ୍ୟସ୍ତ ହୋଇପଡ଼ିଥିଲେ ବୁଲି ।
ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ଫୋପାଡି ଦେଲେ ଦମ୍ପତି
ବୁଲିଙ୍କ ପାଇଁ କାଳ ପାଲଟିଗଲା ବୁଧବାର ରାତି: ଗତ ବୁଧବାର ବୁଲି ଓ ନାରାୟଣ ଘରେ ଏକାକି ଥିଲେ । ରାତି ପ୍ରାୟ ୧୨ଟା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହି ରାତି ପାଲଟି ଯାଇଥିଲା ବୁଲିଙ୍କ ପାଇଁ କାଳ ରାତି । ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିବା ପରେ ବୁଲିଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ନାରାୟଣ । ଏହାପରେ ବିଳମ୍ୱିତ ରାତିରେ ପୁରା ଗାଁ ଶୋଇଯାଇଥିବା ସମୟରେ ବୁଲିଙ୍କ ମୃତଦେହକୁ ଲୁଗାରେ ଗୁଡ଼ାଇ କାନ୍ଧରେ ପକାଇ ଋଷିକୂଲ୍ୟ ନଦୀ ପଠାକୁ ନେଇଯାଇଥିଲା ନାରାୟଣ । ସେଠାରେ ମୃତଦେହକୁ ଏକ ଧାରୁଆ କଟୁରୀରେ ଖଣ୍ଡ ଖଣ୍ଡ କରି କାଟିଥିଲା । ପ୍ରଥମେ ବୁଲିଙ୍କ ଗୋଡ଼, ଜଙ୍ଘ, ଦୁଇ ହାତ, ମୁଣ୍ଡକୁ କାଟି ଉଛୁଳା ଋଷିକୂଲ୍ୟକୁ ଫିଙ୍ଗି ଦେଇଥିଲା।
ନିଖୋଜ ଅଭିଯୋଗ ପରେ ସାମ୍ନାକୁ ଆସିଲା ସତ: ଏହାରି ମଧ୍ୟରେ ଦୁଇ ଦିନ ତଳେ ବାପଘରୁ ଶାଶୂ ଘରକୁ ଆସିଥିବା ବୁଲିଙ୍କ ଖୋଜ ଖବର ମିଳିନଥିଲା । ଏହାକୁ ନେଇ ବୁଲିଙ୍କ ବାପଘର ଲୋକେ ସନ୍ଦେହ କରି ସୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଆଉ ତା’ପରେ ନାରାୟଣ ପତ୍ନୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ପୋଲିସ୍ ଆଗରେ ସ୍ୱୀକାର କରିଥିଲା । କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କରିଥିଲା ନାରାୟଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଚଳାଇଛି । ନାରାୟଣର ବୟାନ୍ ଆଧାରରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀ ମୃତଦେହ ଖୋଜୁଛନ୍ତି । ହେଲେ ନଦୀରେ ପାଣି ଅଧିକ ରହିଥିବାରୁ ବର୍ତ୍ତମାନ ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇନାହିଁ ।
ଇଟିଭି ଭାରତ, ବ୍ରହ୍ମପୁର