ବ୍ରହ୍ମପୁର: ପବିତ୍ର ଘୋଷଯାତ୍ରା ଅବସରରେ ବାଉଁଶ ଓ ଆଇସକ୍ରିମ୍ କାଠିରେ ନିର୍ମାଣ ହେଲା ମହାପ୍ରଭୁଙ୍କ ରଥ । ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ବିଶ୍ବର ସବୁଠାରୁ ଛୋଟ ରଥ ନିର୍ମାଣ କରି ଅନେକ ରେକର୍ଡ ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ସେ ଏଭଳି ନୂତନ କଳାକୃତି ପ୍ରସ୍ତୁତ କରିଥିବା ଦେଖାଯାଇଛି । ଚଳିତ ବର୍ଷ ବାଉଁଶରେ ନିର୍ମିତ ନନ୍ଦିଘୋଷ ରଥ ବେଶ ସୁନ୍ଦର ହୋଇଥିବା ବେଳେ ଏହି ରଥର ଉଚ୍ଚତା ୨୦ ଇଞ୍ଚ୍ ଏବଂ ଓସାର ରହିଥିଲା ୧୩ ଇଞ୍ଚ ।
ସେହିପରି ଆଇସକ୍ରିମ୍ କାଠିରେ ପ୍ରସ୍ତୁତ ହୋଇଥିବା ଅନ୍ୟ ଏକ ରଥ ପ୍ରସ୍ତୁତ କରିଥିବା ବେଳେ ଏହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୬ ଇଞ୍ଚ୍ ରହିଛି । ଉଭୟ ରଥ ଦେଖିବାକୁ ଅବିକଳ ପୁରୀର ନନ୍ଦିଘୋଷ ରଥ ପରି ଦେଖାଯାଉଥିବା ବେଳେ ଏହି ରଥରେ ମୋଟ ୧୬ଟି ଚକ, ୪ଟି ଘୋଡ଼ା, ଓଲୋଟ ଶୁଆ, ଦଧିନଉତି, ପତିତପାବନ ବାନା ଏବଂ ସାରଥିକୁ ନିଜର କଳାକୃତି ମାଧ୍ୟମରେ ସ୍ଥାନିତ କରିଛନ୍ତି ସତ୍ୟ । ଏହି କଳାକୃତି କରିବାକୁ ସତ୍ୟଙ୍କୁ ମୋଟ ପାଞ୍ଚ ଦିନ ସମୟ ଲାଗିଥିଲା ।
ପୂର୍ବରୁ ସତ୍ୟ ୧ ଏମ୍.ଏମ୍ ବିଶିଷ୍ଟ କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରିଥିବା ବେଳେ ତାହା Exclusive World Record ହାସଲ କରିଥିଲା l ସେହିପରି 1 cmର ନନ୍ଦିଘୋଷ ରଥ india book of recordରେ ସ୍ଥାନ ପାଇଛି l ଏହି ନିଆରା କଳାକୃତି ପାଇଁ Asaia book of record, National book of record, Global book of record, world record sector ସହିତ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି l
ଇଟିଭି ଭାରତ, ବ୍ରହ୍ମପୁର