ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଜୁନ୍ ମାସକୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଗଞ୍ଜାମ ଜିଲ୍ଲାରେ ପୁଣି କଡାକଡି ହେବ ଲକଡାଉନ ନିୟମ । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ନୂତନ ଲକଡାଉନ ନିୟମ ଜୁନ ମାସର ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହା ମଧ୍ୟରେ ଜିଲ୍ଲାକୁ ବିଭିନ୍ନ ପଡୋଶୀ ରାଜ୍ୟରୁ ପ୍ରାୟ ଦୁଇ ଲକ୍ଷରୁ ଅଧିକ ପ୍ରବାସୀ ଓଡିଶା ଫେରିଥିବାବେଳେ ଏଠାରେ ଦିନକୁ ଦିନ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏ ପରିସ୍ଥିତିରେ ପ୍ରଶାସନର ପଦକ୍ଷେପକୁ ଜିଲ୍ଲାବାସୀ ଅଧିକ ମାତ୍ରାରେ ଗୁରୁତ୍ବ ଦେଲେ ଜିଲ୍ଲାକୁ କୋରୋନାର ଗୋଷ୍ଠୀ ସଂକ୍ରମଣରୁ ରୋକାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସପ୍ତାହର ସୋମବାରଠାରୁ ଶୁକ୍ରବାର ପାଞ୍ଚ ଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବ । ପରେ ଦିନ ୧୨ଟାରୁ ପୁଣି ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିବ । ଏଭଳି ସମୟରେ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଜରୁରୀକାଳୀନ ଆବଶ୍ୟକତା ଅନୁଯାୟୀ ଗାଡି ଚଳଚାଳ କରିପାରିବ । ସପ୍ତାହର ଅବଶିଷ୍ଟ ଦୁଇ ଦିନ ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସମ୍ପୂ୍ର୍ଣ୍ଣ ସର୍ଟଡାଉନ୍ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏଭଳି ସମୟରେ ସରକାରଙ୍କ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ଗ୍ରାମାଞ୍ଚଳରେ ଚାଷୀ ଏବଂ ଚାଷର କାର୍ଯ୍ୟ ଜାରିରହିବ । ସେହିପରି ଆନ୍ତଃଜିଲ୍ଲା କୌଣସି ଗାଡି ଚଳାଚଳକୁ ପ୍ରଶୟ ଦିଆଯିବ ନାହିଁ ।
ଗତ ୨୦ ଦିନ ଧରି ଜିଲ୍ଲାର ଦୋକାନ ବଜାର ଖୋଲାଯାଇଥିବା ବେଳେ ସାଧାରଣ ଜନତା ସାମାଜିକ ଦୂରତା ମାନୁନଥିବା ସହ ବିନା ମାସ୍କରେ ବାହାରକୁ ବାହାରିବାଠାରୁ ଆରମ୍ଭ କରି ରାସ୍ତା କଡରେ ଏକତ୍ରିତ ହେଉଥିବା ଦେଖିବାକୁ ମିଳୁଛି । ତେବେ ଜୁନ ମାସରେ ଜିଲ୍ଲାର ସ୍ଥିତିକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟତଃ କୋରୋନାର ଚେନ୍ ଭାଙ୍ଗିବା ପାଇଁ ସମସ୍ତେ ସହଯୋଗ କରିବା ସହ ସେଭଳି ସ୍ବାସ୍ଥ୍ୟଗତ ସମସ୍ୟା ନଥିଲେ ଗର୍ଭବତୀଠାରୁ ଆରମ୍ଭ କରି ଶିଶୁ ଓ ବୟସ୍କ ଏବଂ ରୋଗୀମାନେ ଘରୁ ନବାହାରିବା ପାଇଁ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ