ଭଞ୍ଜନଗର: ସ୍ବାମୀ ଆସିଲେ ଭାବି ବାରମ୍ବାର ଦାଣ୍ଡଦୁଆରକୁ ଚାଲିଯାଉଛନ୍ତି ସ୍ତ୍ରୀ । ଆଉ କୁନିପୁଅ ଯଦି ବାପା କେବେ ଆସିବେ ପଚାରୁଛି, ତାର ଉତ୍ତର ବି ଏ ହତାଶିନୀ ମା କି ପରିବାର ପାଖରେ ନାହିଁ । ଦୀର୍ଘ 5 ବର୍ଷ ହେଲା ସ୍ବାମୀର ଫେରିବା ବାଟକୁ ଚାହିଁ ଆଖିର ଲୁହକୁ ଆଖିରେ ଚାପି ବସିଛନ୍ତି ସ୍ତ୍ରୀ ଓ ପରିବାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗ୍ରାମରେ ।
ଚାକୁଣ୍ଡା ଗ୍ରାମର ବାୟାରାମ ବିଷୋୟୀଙ୍କ ଚାରି ପୁଅ ଓ ସ୍ତ୍ରୀକୁ ନେଇ ହସଖୁସିର ପରିବାର। ବଡପୁଅ ଅନୀଲ ବିଷୋୟୀଙ୍କୁ ୨୦୧୪ ମସିହାରେ ଧୁମଧାମରେ ବିବାହ କରିଥିଲେ। ବିବାହ ପରେ ହସଖୁସିରେ ଚାଲୁଥିବା ପରିବାରରେ ଆସିଥିଲା କଳାବାଦଲ । ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବଡପୁଅ ଅନିଲ । ନାଁ କାମ କରିବାକୁ ଯାଉଥିଲେ ନା ହସଖୁସିରେ ସାମିଲ ହେଉଥିଲେ । ଏହା ଦେଖି ପିତା ବାୟାରାମ ଅନିଲଙ୍କୁ ନେଇ ଭୁବନେଶ୍ବର ଚିକିତ୍ସା ମଧ୍ୟ କରାଇଥିଲେ ଆଉ ସେ ସୁସ୍ଥ ହୋଇଥିଲେ । ଚିକିତ୍ସା ପରେ ବି ଅନିଲ ଔଷଧ ଖାଉଥିଲେ । ୨୦୧୭ରେ ଦିନେ ପିତା ଜୟରାମ ଅନିଲକୁ ଟଙ୍କା ଦେଇ ଗାଈ କିଣିବା ପାଇଁ ନିକଟସ୍ଥ ଗାଁକୁ ପଠାଇଲେ ଯେ ସେହିଦିନ ଠାରୁ ଆଉ ସେ ଘରକୁ ଫେରିନାହାଁନ୍ତି ।
ଖୋଜାଖୋଜି କରିବା ପରେ କେବେ ସେ ସୁରଟ ଯାଇଛନ୍ତି ତ ପୁଣି କୋରାପୁଟ ଯାଇଛନ୍ତି ବୋଲି ଘର ଲୋକଙ୍କ ନିକଟକୁ ଖବର ଆସିଛି କିନ୍ତୁ ସେ ଆଉ ଘରକୁ ଫେରିନାହାଁନ୍ତି। ସେପଟେ ଘର ଲୋକେ କେତେ ଖୋଜା ଖୋଜି କରିବା ପରେ ମଧ୍ୟ ଦୀର୍ଘ ୫ ବର୍ଷ ବିତିଗଲା କିନ୍ତୁ ପୁଅର ଖୋଜ ଖବର ନାହିଁ । ପୁଅକୁ ନପାଇ ବାପାମା ଭାଙ୍ଗିପଡିଥିବା ବେଳେ ସ୍ତ୍ରୀ ସ୍ବାମୀର ଫେରିବା ବାଟକୁ ଅନାଇ ବସିଛି l ଅନ୍ୟପଟେ ଏ ନେଇ ପୁଅର ନିଖୋଜ ନେଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ସେଠାରୁ ଖାଲି ଆଶ୍ବାସନା ହିଁ ମିଳୁଛି l
ତେବେ ଯଦି କେଉଁ ସହୃଦୟ ବ୍ୟକ୍ତି ଅନିଲକୁ ଦେଖନ୍ତି ତେବେ 8763142984 ନମ୍ବରରେ ଯୋଗାଯୋଗ କରିବାକୁ ବାୟାରାମଙ୍କ ପରିବାର ଏବଂ ଗ୍ରାମବାସୀ ଅନୁରୋଧ କରିଛନ୍ତି l ଆମ ସମସ୍ତଙ୍କ ଚେଷ୍ଟାରେ ଯଦି ଅନିଲ ଘରକୁ ଫେରି ଆସନ୍ତେ ଏହି ପରିବାର ପୁଣି ହସଖୁସିରେ ପୁରି ଉଠନ୍ତା ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ