ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତୁଳସିପଲ୍ଲି ଗ୍ରାମରେ ବସବାସ କରନ୍ତି ରାମକୃଷ୍ଣ ମହାରଣାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ପ୍ରତିମା ଓ ଝିଅ ଶିବାନୀକୁ ନେଇ ସୁନାର ସଂସାର । ହେଲେ ଖୁସିରେ ଭଟ୍ଟା ସୃଷ୍ଟି କରିଛି ଝିଅର ଅଜଣା ରୋଗ । ଝିଅ ଶିବାନୀଙ୍କ ଜନ୍ମରୁ ଶରୀରରେ ଫାଟୁ ରୋଗ ଦେଖାଦେଇଛି । ବୟସ ବଢିବା ସାଙ୍ଗକୁ ସାରା ଶରୀରରେ ଏହି ରୋଗ ମାଡିଯାଇଛି । ନା କେହି ପାଖକୁ ଆଶୁଛନ୍ତି ନା କେହି ଭଲରେ କଥା ହେଉଛନ୍ତି ।
ପିଲାଟି ବେଳୁ ଶିବାନୀଙ୍କ ଶରୀରରେ ଏପରି ଚର୍ମ ଫାଟିବା ଆରମ୍ଭ ହୋଇଛି । ବୟସ ବଢିବା ସାଙ୍ଗକୁ ସାରା ଶରୀରରେ ରୋଗ ମାଡି ଯାଇଛି । କେହି କେହି ଏହାକୁ ଡିଆଁ ରୋଗ ଭାବି ଶିବାନୀଙ୍କ ପାଖ ମାଡନ୍ତି ନାହିଁ । ସ୍କୁଲରେ ପିଲାମାନେ ମଧ୍ୟ ସାଙ୍ଗ ହୁଅନ୍ତିନି କି କଥା ହୁଅନ୍ତିନି । ମାନସିକ ଚାପ ଏବଂ ସବୁବେଳେ ଚିନ୍ତାରେ ରହି ହାଇସ୍କୁଲ ଯାଏ ଯାଇଛନ୍ତି । ମାତ୍ର ଦଶମ ଫେଲ୍ ହୋଇଯାଇଛନ୍ତି ଶିବାନୀ । ଏପରିକି ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଯାଆନ୍ତି ନାହିଁ ଶିବାନୀ ।
ନିଜ ଶରୀରକୁ ସିନା ବାହାର ଦୁନିଆରୁ ଲୁଚାଇ ଦେଲେ ହେଲେ ନିଜ ଆଗରେ କେବେ ଲୁଚାଇ ପାରିନାହାନ୍ତି । ଯେତେବେଳେ ଆଇନା ଆଗକୁ ଯାଆନ୍ତି କାହିଁ କେତେ କଣ ଭାବି କାନ୍ଦିବା ସହ ନିଜକୁ ଘୃଣା କରନ୍ତି । ବାପା-ମାଆ ପ୍ରଥମେ ଭଞ୍ଜନଗର ମେଡିକାଲ, ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟ ଆଦି ନେଇ ଚିକିତ୍ସା କରାଇଛନ୍ତି । କେଉଁଠି ବି ରୋଗ ଭଲ ନ ହେବା ପରେ ବର୍ତ୍ତମାନ ଝିଅକୁ ଆୟୁର୍ବେଦିକ ଚିକିତ୍ସା ଦେଉଛନ୍ତି । ମାତ୍ର ସ୍ବାସ୍ଥ୍ୟରେ କୌଣସି ସୁଧାର ଆସୁନାହିଁ ।
ଝିଅଟିଏ ନାନା ସ୍ବପ୍ନ ଦେଖିଥାଏ ତା ଜୀବନରେ । ପାଠ ପଢିବ, ଭବିଷ୍ୟତ ଗଢିବ, ନିଜ ଗୋଡରେ ନିଜେ ଛିଡା ହେବ କାହିଁ କେତେ କଣ । ହେଲେ ଯେତେବେଳେ ଆଗକୁ ବଢିବା ପାଇଁ ନିଜ ଚେହେରା ଶତ୍ରୁ ପାଲଟେ ସେତେବେଳେ ଜୀବନ ଦୁର୍ବିସହ ହୋଇଯାଏ । ଶିବାନୀ ମଧ୍ୟ ଏପରି ଦୁର୍ବିସହ ଜୀବନ ବିତାଉଛନ୍ତି । ଡାକ୍ତର ଖର୍ଚ୍ଚରେ ପରିବାରର ସମସ୍ତ ସଞ୍ଚିତ ଅର୍ଥ ସରିଯାଇଛି । ବର୍ତ୍ତମାନ ଘର ଚଳାଇବା ମଧ୍ୟ ରାମକୃଷ୍ଣଙ୍କ ପାଇଁ କଠିନ ହୋଇଯାଇଛି ।
ଏପରିସ୍ଥିତିରେ ସରକାରୀ ସହାୟତା ଲୋଡିଛନ୍ତି ଶିବାନୀଙ୍କ ପରିବାର । ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଚକିତ୍ସା ପାଇଁ ହାତ ବଢାନ୍ତେ ତେବେ ଭଲ ହୋଇପାରନ୍ତି ବୋଲି କହିଛନ୍ତି ଶିବାନୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ