ବ୍ରହ୍ମପୁର: ଗତ ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଯୋଗୁଁ ପାତ୍ରପୁର ଭଳି ପାହାଡିଆ ଇଲାକାରେ ରହିଥିବା ଆଦିବାସୀ ମାନେ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି ।
ବିଶେଷ କରି ବାଘଲଟି ଜଳ ଭଣ୍ଡାର ଆର ପାରିରେ ଥଇଥାନ ଅପେକ୍ଷାରେ ରହିଥିବା ପାଞ୍ଚରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନଙ୍କ ଚିନ୍ତା ବୃଦ୍ଧି ପାଇଛି । ବର୍ଷାର ପ୍ରକୋପ ବଢୁଥିବାରୁ ବାଘଲଟି ପ୍ରକଳ୍ପ ତରଫରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଏବେ କିଛି ଗ୍ରାମରେ ପାହାଡ଼ ଉପରୁ ପାଣି ଖସୁଥିବା ଗ୍ରାମ ମଧ୍ୟରେ ପ୍ରବେଶ କରୁଥିବା ସୂଚନା ମିଳୁଛି ।
ଏପଟେ ଦୁଇଦିନ ହେବ ବର୍ଷା ଜାରି ରହିଥିବା ଯୋଗୁଁ ପାହାଡ଼ି ଇଲାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର ଗଙ୍ଗାପୁର ଓ ଗଣ୍ଡିଆ ସାହି ପାଣି ଘେରରେ ରହିଛି । ବୁରାତାଲ ଓ ପୁରିଆ ସାହି ରାସ୍ତା ଧୋଇଯାଇଥିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି । ଗତ ତିତିଲି ବାତ୍ୟାର କ୍ଷତ ଏଯାଏଁ ଲୋକଙ୍କ ମନରୁ ଯାଇନଥିବାବେଳେ ବର୍ତ୍ତମାନର ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଦିବାସୀ ଇଲାକାର ଲୋକେ ଏକ ପ୍ରକାର ଚିନ୍ତିତ ହୋଇପଡିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ