ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ତିନୋଟି ଉପଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ହସ୍ତଶିଳ୍ପ କଳାକାରମାନଙ୍କ ପ୍ରଦର୍ଶନୀ । ଜିଲ୍ଲା ପ୍ରଶାସନ ଦ୍ୱାରା ଓରମାସ୍ ଏବଂ ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ ଓ ପାନୀୟଜଳ ଯୋଗାଣ ବିଭାଗ ମିଳିତ ଆନୁକୁଲ୍ୟରେ ଏଭଳି ଏକ ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି ।
ଏହି ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ହସ୍ତଶିଳ୍ପ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବା ସହିତ ବିକ୍ରି କରାଯିବାର ଯୋଜନା ରଖାଯାଇଛି । ତେବେ ନଭେମ୍ବର ୨୦ ତାରିଖ ଠାରୁ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ପଡିଆ ଠାରେ, ନଭେମ୍ବର ମାସ ୨୩ ତାରିଖ ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଖେଳ ପଡିଆ ଠାରେ ଏବଂ ନଭେମ୍ବର ମାସ ୨୬ ତାରିଖ ଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ସ୍ଥିତ ପୋଲିସ୍ ପଡିଆ ଠାରେ ଏହି ମିନି ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
ଏହି ପ୍ରଦର୍ଶନୀ ମାନବଜାତୀୟ ଗ୍ରାମ୍ୟ ସାମଗ୍ରୀଗୁଡିକୁ ଜନପ୍ରିୟ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେବାକୁ ଯାଉଛି । ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକର୍ଷିତ ଓ ଲୋକପ୍ରିୟ ସାମଗ୍ରୀଗୁଡିକ ପ୍ରଦର୍ଶନ ସହିତ ବିକ୍ରି କରାଯିବ । ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତଶିଳ୍ପ ସାମଗ୍ରୀ, ମାଟିର ଘର କରଣା ଓ ଘର ସାଜସଜ୍ଜା ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିପାରିବ । ଏଥିସହ ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦକରି କ୍ରୟ କିରବେ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସକ) ଜ୍ୟୋତି ଶଙ୍କର ରାୟ କହିଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କଳାକାରମାନଙ୍କ ହସ୍ତନିର୍ମିତ ସାମଗ୍ରୀଗୁଡିକ କ୍ରୟକରି ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଦିଗରେ କାର୍ଯ୍ୟକ୍ରମ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ