ଭଞ୍ଜନଗର: ରୋଜଗାର ଯୋଗାଇଛି କାଠ ସାମଗ୍ରୀ । ବିଭିନ୍ନ କାଠରୁ ଗୃହ ଉପଯୋଗୀ ସାମଗ୍ରୀ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ଖଣିଜ ସମ୍ପଦରେ ଭରପୂର ଆମ ରାଜ୍ୟ କିନ୍ତୁ କିଛି କାଠ ମାଫିଆଙ୍କ ପାଇଁ ଏହି ପ୍ରାକୃତିକ ସମ୍ପଦ ହରାଇବାରେ ଲାଗିଲାଣି ।
କାଠମାଫିଆଙ୍କ ପ୍ରାଦୁର୍ଭାବରେ ଦିନକୁ ଦିନ ଜଙ୍ଗଲ ସଙ୍କୁଚିତ ହେବାରେ ଲାଗିଛି । ଯେଉଁଥିପାଇଁ ବନବିଭାଗ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ସୋରଡା ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ନିମନ୍ତେ ଏକ ନୂଆ ବାଟ ଆପଣେଇଛି । କାଠ ଚୋରିକୁ ରୋକିବା ପାଇଁ ବନବିଭାଗ ପ୍ରତି ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରାଇବା ସହ ମହିଳା ମାନଙ୍କୁ ନେଇ ବନ ସୁରକ୍ଷା ସମିତି ଗଠନ କରାଇଛି ।
ସୋରଡା ବ୍ଲକର ସୋରଡା ବନାଞ୍ଚଳ, ବଡଗଡ ବନାଞ୍ଚଳ ଅଧୀନରେ ୪୦ ଗୋଟି ବନ ସୁରକ୍ଷା ସମିତି ମାଧ୍ୟମରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ଏଥିରେ ନିୟୋଜିତ ହୋଇଛନ୍ତି । ପ୍ରତିବର୍ଷ ତିନି ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଉଛି । ବର୍ତ୍ତମାନ ଜଙ୍ଗଲରେ ସାଗୁଆନ, ଶାଳ, ପିଆଶାଳ, ଶିଶୁଆ, ହଲନ୍ଦ, କାଠ ସହିତ ଚନ୍ଦନ, ରକ୍ତ ଚନ୍ଦନ, ଏବଂ ବିଭିନ୍ନ ଔଷଧୀୟ ବୃକ୍ଷ ଲଗାଯାଇଛି । ଜଙ୍ଗଲ ବଢିବା ସହିତ ସବୁଜ ଜଙ୍ଗଲ ସୃଷ୍ଟି ହୋଇଛି । ପୂର୍ବ ଭଳି ବନ କର୍ମଚାରୀଙ୍କୁ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ ଆଉ କଷ୍ଟ କରିବାକୁ ପଡୁନାହିଁ ।
କିଞ୍ଚିତ ଯଦି କାଠ ଚୋରି ହୁଏ ତାହାହେଲେ ମହିଳା ,ଗ୍ରାମବାସୀ ବନବିଭାଗକୁ ଖବର ଦେଇ ଚୋର ଧରିବାରେ ସଫଳ ହେଉଛନ୍ତି । କେବଳ ସେତିକି ନୁହେଁ ଜଙ୍ଗଲର ସୁରକ୍ଷା ବଢିବା ସହିତ ଜଙ୍ଗଲରୁ ଜବତ ହୋଇଥିବା ସାଗୁଆନ ,ପିଆଶାଳ ,ଶାଳ ,ଗମ୍ଭାରି ,କାଠକୁ ବନବିଭାଗ କର୍ପୋରେସନକୁ ହସ୍ତାନ୍ତର କରିଥାଏ l କର୍ପୋରେସନ ଠାରୁ ଜବତ କାଠ କୁ କାରିଗର ମାନେ କିଣି ସେଥିରେ ଆକର୍ଷଣୀୟ ସୋଫା, ଟେବୁଲ, ଖଟ, ଡ୍ରେସିଂଟେବୁଲ ଭଳି କାଠ କବାଟରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ ଚିତ୍ର ଥିବା ସୁନ୍ଦର ଭାବେ ଖୋଦେଇ କରି ଲୋକଙ୍କୁ ବିକ୍ରି କରିଥାନ୍ତି ଏହି ମହିଳା ଗୋଷ୍ଠୀ ।
ଦୁଇବର୍ଷ ହେବ କୋରନା ମହାମାରୀ ଥିବା ସତ୍ତ୍ବେ ଏଠାକାର କାରିଗର ରୋଜଗାର କରିବା ସହ କିଛି ଲୋକଙ୍କୁ କାମ ଦେଇପାରୁଛନ୍ତି । କାରିଗରଙ୍କ ନିଖୁଣ ଖୋଦେଇ କାମ ପାଇଁ ଏଠିକାର ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥାଏ l ପୂର୍ବ ଅପେକ୍ଷା ଜଙ୍ଗଲ କାଟିବା ବନ୍ଦ ହେଲାଣି, ଗ୍ରାମବାସୀ ଓ ମହିଳା ମାନଙ୍କ ଯୋଗୁଁ ଜଙ୍ଗଲ ସୁରକ୍ଷା ବଢିବା ସହିତ ଅଧିକ ଗଛ ଲଗାଯାଉଛି କହିଛନ୍ତି DFO ଦିଲୀପ କୁମାର ରାଉତ l
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ