ବ୍ରହ୍ମପୁର: ରବିବାର ଗଞ୍ଜାମରେ ଶେଷ ହୋଇଛି ପ୍ରସିଦ୍ଧ ମେରୁଯାତ୍ରା । ଗତ ୨୧ ଦିନ ଧରି ଚୈତ୍ର ମାସ ଅବସରରେ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇ ଆସୁଥିବା ଏହି ପ୍ରସିଦ୍ଧ ଦଣ୍ଡନୃତ୍ୟ ମେରୁଯାତ୍ରାର ରବିବାର ଥିଲେ ଶେଷଦିନ ।
ସୂଚନା ଅନୁଯାୟୀ, ଗଞ୍ଜାମର ଏହି ପ୍ରସିଦ୍ଧ ମେରୁଯାତ୍ରାରେ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ବ୍ରତ ରଖିଥାନ୍ତି। ଏପରିକି ମେରୁଯାତ୍ରା ପାଇଁ ଉପବାସ କରିଥିବା ମାନସିକଧାରୀ ମହିଳା ଓ ପୁରୁଷ ମାନେ ମେରୁ ଖୁଣ୍ଟରେ ବନ୍ଧାଯାଇଥିବା ଆମ୍ୱ ,ଖଜୁରି କୋଳି , କାକୁଡ଼ିକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି ।
ଏଥିସହ ଦୀର୍ଘ ଦିନ ଧରି ନିଜ ନିଜର ମାନସିକ ପୂରଣ ପାଇଁ ଦଣ୍ଡନୃତ୍ୟରେ ସାମିଲ ହୋଇଥିବା ଦଣ୍ଡୁଆମାନେ ଉଦଯାପନୀ ଦିବସରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମାଆ କାଳୀ ଓ ଶିବଙ୍କୁ ନେଇ ମେରୁ ମଣ୍ଡପରେ ପହଞ୍ଚିବା ପରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ ଦଣ୍ଡନୃତ୍ୟ ଆରମ୍ଭରୁ ଉପବାସ କରି ରହିଥିବା ଗୁହାରିଆଙ୍କୁ ଆଣି ଯଜ୍ଞ ମଣ୍ଡପରେ ଓଲଟାଇ ବାନ୍ଧି ଝୁଲାଯିବା ପରେ ଏହି ଦଣ୍ଡନୃତ୍ୟ ସମାପନ ହୋଇଥାଏ ।
ତେବେ ଜିଲ୍ଲାରେ ପଣାସଂକ୍ରାନ୍ତି ଅବସରରେ ମେରୁ ଯାତ୍ରା ଦେଖିବାକୁ ପୁରପଲ୍ଲୀଠାରୁ ଆରମ୍ଭ କରି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ