ବ୍ରହ୍ମପୁର: ଦିଗପହଣ୍ଡି ଥାନା ପୁଞ୍ଜିକୟା ଛକ ନିକଟରୁ ଚାଲାଣବେଳେ ଗଞ୍ଜେଇ ଜବତ ହୋଇଛି । ଏହା ସହ ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ ହୋଇଛନ୍ତି । ଗିରଫ ଦୁଇଜଣ ବିହାରର ସୁରଜ କୁମାର ଓ ପପୁ ଦାସ ବୋଲି ଜଣାପଡିଛନ୍ତି ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଦୁଇଟି ବ୍ୟାଗରେ ୧୩ କେଜି ୬୦୦ ଗ୍ରାମ୍ ଓଜନର ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଦୁଇ ଅଭିଯୁକ୍ତ ଯାଉଥିଲେ । କୌଣସି କାରଣ ଯୋଗୁଁ ପୁଞ୍ଜିକୟା ଛକ ନିକଟରେ ଓହ୍ଲାଇ ଅନ୍ୟ ଏକ ବସ୍ ଯୋଗେ ବ୍ରହ୍ମପୁର ଯିବା ପାଇଁ ଅପେକ୍ଷା କରିଥିଲେ । ତେବେ ଦିଗପହଣ୍ଡି ଅବକାରୀ ବିଭାଗ ଉକ୍ତ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଯୁବକ ଦ୍ବୟକୁ ସନ୍ଦେହ କରି ପଚାରାଉଚୁରା କରିବାରୁ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିଲା ।
ଏହା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଇ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ