ବ୍ରହ୍ମପୁର: ନିଜ ବନ୍ଧୁକରୁ ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ । ସମ୍ପୃକ୍ତ ଥାନା ଅଧିକାରୀ ନିଜ ନିଜ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟି ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା IIC ଦେବ କୁମାର ଗମାଙ୍ଗ ଆଜି(ଶୁକ୍ରବାର) ନିଜ ବନ୍ଧୁକ ସଫା କରୁଥିଲେ । ଅସାବଧାନତା ବଶତଃ ବନ୍ଧୁକକୁ ପକେଟରେ ରଖିବା ସମୟରେ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜିଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତୁ IICଙ୍କୁ ଉଦ୍ଧାର କରାଯାଇ ଆସ୍କା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ ଗଞ୍ଜାମ SPଙ୍କ ପକ୍ଷରୁ ସୂଚନା ମିଳିଛି ।
SP ବ୍ରିଜେଶ କୁମାର ରଏଙ୍କ କହିବା ଅନୁସାରେ, 'IIC ଦେବ କୁମାର ଗମାଙ୍ଗ ଗତ ୪ ମାସ ହେବ ଜିଲ୍ଲାରେ ଯୋଗଦାନ କରିଥିଲେ । ସେ କିଛିଦନ ହେବ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ମାତ୍ର ବହୁତ ଭଲ କାମ କରୁଥିଲେ । ତାଙ୍କ ବିୟୋଗ ପୋଲିସ କର୍ମୀ ତଥା ବ୍ୟକ୍ତିଗତ ଭାବେ ଦୁଃଖ ପହଞ୍ଚାଇଛି ।' ତେବେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସପି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ