ବ୍ରହ୍ମପୁର: ସେନା ଦିବସ ଅବସରରେ ବୀର ସହିଦଙ୍କ ପରିବାରକୁ କରାଯାଇଛି ସମ୍ମାନିତ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆର୍ମି ଏଡି ସେଣ୍ଟର ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୧୪ ମସିହାଠାରୁ ଭାରତ ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ଭାରତୀୟ ସେନାରେ ରହିଥିବା ସୈନିକମାନଙ୍କ ସେବା ସ୍ମୃତି ଦିବସ ରୂପେ ଏହି ଦିବସଟିକୁ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି ।
ଦେଶର ସୁରକ୍ଷା ଦିଗରେ ଭାରତୀୟ ସେନା ବାହିନୀ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି ବୋଲି କହିଛନ୍ତି ଆର୍ମି ଏଡି ସେଣ୍ଟରର ବ୍ରିଗେଡିୟର୍ ସୁମିତ୍ ମାଥୁର । ସେ ଆହୁରି କହିଛନ୍ତି ସେମାନଙ୍କ ଅବସର ପରେ କିମ୍ବା ଦେଶ ସେବା କରି ପ୍ରାଣ ଉତ୍ସର୍ଗ କରିଥିବା ବୀର ସୈନିକମାନଙ୍କର ପରିବାରରେ ଦେଖାଦେଇ ଆସୁଥିବା ସମସ୍ୟା ଗୁଡିକ ସମାଧାନ କ୍ଷେତ୍ରରେ ସମାଧାନ ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ସେମାନଙ୍କୁ ଆର୍ଥିକ ପଲିସି ଏବଂ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ଏବଂ ପେନସନ୍ ଯୋଜନାର ସୁବିଧା ପାଇଁ ପଦକ୍ଷେପ ନିଆଯିବା ସହିତ ସେମାନଙ୍କ ସବୁ ସମସ୍ୟାର ସମାଧାନ କରିବା ନିହାତି ଆବଶ୍ୟକ ରହିଛି ।
ଚିପ୍ ରେକର୍ଡ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଭାରତ ସରକାରଙ୍କ ବହୁତ ଗୁଡାଏ ଲାଭକାରୀ ଯୋଜନା ଭୂତପୂର୍ବ ସୈନିକମାନଙ୍କ ନିମନ୍ତେ ପ୍ରଦାନ କରାଯାଏ । ସେମାନଙ୍କୁ ଲାଭ ଦେବା ଦିଗରେ ବିଭିନ୍ନ ଯୋଜନା ସମ୍ପର୍କିତ ସୂଚନା ଦିଆଯାଏ । ଏହି ଅବସରରେ ତଥ୍ୟ ସମ୍ବଳିତ ଏକ ପୁସ୍ତକ ଉନ୍ମୋଚନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରି ସୈନିକମାନଙ୍କ ସୁବିଧା ନିମନ୍ତେ ତାଙ୍କ ଗ୍ରାମରେ ରହିଥିବା ଅସୁବିଧା ଗୁଡିକ ବିଷୟରେ ଅବଗତ କରାଇବା ସହିତ ସେଗୁଡିକର ସମାଧାନ ଦିଗରେ ସାଧାରଣ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ବିଦ୍ୟାଳୟ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ରାସ୍ତା ଭଳି ଯାହା ଆବଶ୍ୟକତା ରହିଛି ସେଗୁଡିକର ସମାଧାନ କରାଯିବ ।
ଏହି ଅବସରରେ ସହୀଦ ସୈନିକମାନଙ୍କର ବୀରତ୍ବ ପାଇଁ ସେମାନଙ୍କ ଧର୍ମପତ୍ନୀମାନଙ୍କୁ ସମ୍ମାନିତ କରାଯାଇଛି । ୨୩.୧୧.୧୯୬୨ରେ ଭାରତ ଏବଂ ଚୀନ୍ ଯୁଦ୍ଧରେ ସହୀଦ୍ ହୋଇଥିବା ବୀର ସୈନିକ ଏମ୍. ଆପାଇଚ୍ଙ୍କ ଧର୍ମପତ୍ନୀ ସରସ୍ୱତୀ ଆମ୍ମା, ୨୮.୦୮.୧୯୯୦ରେ ସହୀଦ୍ ହୋଇଥିବା ସୈନିକ ଏଚ୍. କେ.ନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ନାୟକ, ୧୯.୦୫.୧୯୯୫ରେ ସହୀଦ୍ ହୋଇଥିବା ସୈନିକ ଏସ୍.ଏନ୍.ବେହେରାଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ, ୧୨.୦୧.୧୯୯୪ରେ ସହୀଦ୍ ହୋଇଥିବା ଭି. ଚନ୍ଦ୍ର ରାଓ ଙ୍କ ପତ୍ନୀ ଭି. ତୁଳସୀ ଆମ୍ମା, ୬.୮.୧୯୯୬ରେ ସହୀଦ୍ ହୋଇଥିବା ବୀର ଯବାନ୍ ଏ.ଗୋବିନ୍ଦ ରାଓ ଙ୍କ ଧର୍ମପତ୍ନୀ ଭାନୁମତି ଏବଂ ୧୦.୧୦.୨୦୧୮ ମସିହାରେ ସହୀଦ୍ ହୋଇଥିବା ଏ.ଜେ.ରାଓ ଙ୍କ ଧର୍ମପତ୍ନୀ କମଳାଙ୍କୁ ସମ୍ମାନୀତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆର୍ମି ଏଡି ସେଣ୍ଟରର ବ୍ରିଗେଡିୟର୍ ସୁମିତ୍ ମାଥୁର,ଚିପ୍ ରେକର୍ଡ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର କୁମାରଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଯୋଗ ଦେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ