ଗଞ୍ଜାମ: ଜିଲ୍ଲାକୁ ପ୍ରବାସୀ ଓଡିଆଙ୍କ ସୁଅ ଛୁଟିବାରେ ଲାଗିଛି । ଲକଡାଉନ ଯୋଗୁଁ ସରକାରଙ୍କ ଉଦ୍ୟମରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି । ପ୍ରତ୍ୟେକ ଦିନ ଶହଶହ ଲୋକ ଆସୁଥିବାରୁ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସୁରକ୍ଷିତ ଭାବେ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି । ହେଲେ କେତେକ ସ୍ଥାନରେ ପରିଚାଳନା ଗତ ତ୍ରୁଟି ଦର୍ଶାଇ ଅନ୍ତେବାସୀମାନେ ନିଜ ଅଭାବ ଅସୁବିଧା ଲୋକଲୋଚନକୁ ଆଣିବା ପାଇଁ ତାହାର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରୁଛନ୍ତି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ସୋମବାର ଦିନ ୩ଟା ସମୟରେ ପ୍ରାୟ ୧୨୦ଜଣ ପୁରୁଷ ଓ ମହିଳା ପ୍ରବାସୀ ପହଞ୍ଚିଥିଲେ । ହେଲେ ସେଠାରେ ଆବଶ୍ୟକୀୟ ପାଣି, ଖାଦ୍ୟ, ଓ ରହିବାକୁ ନେଇ ସମସ୍ୟା ସୃଷ୍ଟି ହେବାରୁ ଏସମ୍ପର୍କରେ ସେମାନେ ସ୍ଥାନୀୟ ସରପଞ୍ଚକୁ ଜଣାଇଥିଲେ ମଧ୍ୟ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି । ସେଠାରେ ଥିବା ମହିଳାମାନେ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ