ଭଞ୍ଜନଗର: ଚାଷ କାମ ଯାହାର କି ଆନନ୍ଦ ତାର । ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର । ହେଲେ ଏହି ଉକ୍ତିର ଠିକ ଓଲଟା ସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଏଠିକାର ବାଇଗଣ ଚାଷୀ ସହୁଛନ୍ତି କ୍ଷତି । ସରକାରଙ୍କ ଯୋଜନା ମାଳ ମାଳ । କିନ୍ତୁ ଚାଷୀ ଏବେ ହତାଶ । ଆଉ ଏପଟେ ମାଲାମାଲ ହେବାରେ ଲାଗିଛନ୍ତି ବେପାରୀ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଗୋଚ୍ଛା ପଞ୍ଚାୟତରେ । ଚାଷୀ ମାନେ ବାଇଗଣ ଚାଷ କରିଥାନ୍ତି କିଛି ଲାଭହେବ ଉଦ୍ଦେଶ୍ୟରେ । ହେଲେ ଲାଭ ତ ଦୂର ନିଜେ ଖର୍ଚ୍ଚ କରିଥିବା ପାଉଣା ପାଇବାରୁ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ବାଇଗଣ ଚାଷ କରି କିଲୋପିଛା ପୂର୍ବରୁ 30 ଟଙ୍କା ବିକୁଥିବା ବେଳେ ଏବେ ମାତ୍ର 3ଟଙ୍କାରେ ବିକୁଛି ଚାଷୀ । ଖାଉଟି ବେପାରୀଙ୍କ ଠାରୁ 40ଟଙ୍କାରେ କିଣୁଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ବଳକା ଟଙ୍କା ଖାଉଛି କିଏ ?
କେବଳ ଏତିକିରେ ସରିନି ଚାଷୀଙ୍କ ଦୁଃଖ । ଚାଷ ପାଇଁ ନାହିଁ ଉପଯୁକ୍ତ ଜଳସେଚନର ସୁବିଧା । ତେଣୁ ଏକର ଏକର ଜମିରେ ଅନ୍ୟ ଫସଲ ସହ କରିଥାନ୍ତି ବାଇଗଣ ଚାଷ । ହେଲେ ଅମଳ ବେଳକୁ ବଜାରରେ ଏହି ବାଇଗଣର ଚାହିଦା ସେତେଟା ରହୁନଥିବା ବେପାରୀ କୁହନ୍ତି ।
ଯୋଜନା ସବୁ ସରକାରୀ ବାବୁଙ୍କ କାଗଜ କଲମରେ ସୀମିତ ରହିଯାଉଥିବାରୁ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଅମଳ ସମୟରେ ଶାଗ ମାଛ ଦରରେ ତାହା ବେପାରୀକୁ ଦେବାକୁ ବାଧ୍ୟ ହେଉଛି ଚାଷୀ । ତାର ଧର୍ମ ରକ୍ଷା କରିବାପାଇଁ ମୁଲ ଲଗାଇ ବାଇଗଣକୁ ଆଦାୟ କରୁଛି ମାତ୍ର କିଲୋ 3 ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ତାଛଡା ଅନ୍ୟ ବାଟ କିଛିନାହିଁ ସରକାର ଯଦି ଏଥି ପ୍ରତି ଦୃଷ୍ଟି ଦେବେ ତାହେଲେ ଚାଷୀ ଉପକୃତ ହୋଇପାରିବେ ବୋଲି ପ୍ରକାଶ ପାଇଛି ।
ଅନ୍ୟପଟେ ବେପାରୀଙ୍କ କହିବା ଅନୁସାରେ, ଏଠାରେ ଉନ୍ନତମାନର ବାଇଗଣ ମିଳୁନାହିଁ । ଏନେଇ କ୍ଷତି ସହୁଛି ଚାଷୀ । ଏବିଷୟରେ ସୋରଡ଼ା ସହକାରୀ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଚାଷୀ ଠିକ ସମୟରେ ବାଇଗଣ ତଳି ପକାଇ ଜମିରେ ଲଗାଉନାହାଁନ୍ତି । ଯାହାଫଳରେ ଚାହିଦା ଥିବା ସମୟରେ ଅମଳ ହୋଇପାରୁନାହିଁ । ଯେହେତୁ ସେଠାରେ ଜଳସେଚନର ସମସ୍ୟା ରହିଛି । ସରକାରଙ୍କ ବିଭିନ୍ନ ଯୋଜନାରେ ବୋରବିଲ, ଡିପଇରିଗେସନ, ସ୍ପ୍ରିଙ୍କଲ ଇରିଗେସନ ମାଧ୍ୟମରେ ଜଳସେଚନ କରି ଚାଷୀ ତାର ଉଚିତ ମୂଲ୍ୟ ପାଇପାରିବ ।
ହେଲେ ଏହିସବୁ ଯୋଜନା ଚାଷୀଙ୍କ ପାଖରେ କେବେ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ