ଭଞ୍ଜନଗର: ନିଜ ମହାନ କାର୍ଯ୍ୟ ପାଇଁ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ସୁଶୀଲ । ନିଜେ ବଞ୍ଚିପାରିଲେ ନାହିଁ କିନ୍ତୁ ୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡି ଗ୍ରାମରେ । ସୁଶୀଲ ମୃତ୍ୟୁ ପୂର୍ବରୁ ୫ ଜଣ ବ୍ୟକ୍ତିଙ୍କୁ ନିଜ ଅଙ୍ଗଦାନ କରିଥିବା ଜଣାପଡ଼ିଛି ।
ଅଲାଡି ଗ୍ରାମର ସୁଶୀଲ ସାହୁ ଗୁଜୁରାଟର ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ ୨୬ ତାରିଖରେ ବ୍ରେନଷ୍ଟ୍ରୋକ୍ ପରେ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୀରେଧୀରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କର ବ୍ରେନ୍ ଡେଡ୍ ହୋଇଥିଲା । ଡାକ୍ତରଙ୍କ କହିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ପରିବାର ଲୋକେ । ଡାକ୍ତରଙ୍କ ଠାରୁ ଏକଥା ଶୁଣିବା ପରେ ଅଙ୍ଗଦାନ ପାଇଁ ରାଜି ହୋଇଥିଲା ପରିବାର ।
ଏହାପରେ ଆରମ୍ଭ ହୋଇଥିଲା ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟା । ତାଙ୍କର ଫୁସଫୁସ, ହୃତପିଣ୍ଡ, କିଡ଼ନୀ, ଲିଭର ଓ ଆଖିଦାନ କରାଯାଇଥିଲା । ୫ ଜଣଙ୍କ ଠାରେ ଏହି ଅଙ୍ଗ ପ୍ରତ୍ୟାରୋପଣ କରାଯିବା ପରେ ସୁଶୀଲଙ୍କ ମୃତଦେହକୁ ସ୍ବତନ୍ତ୍ର ବିମାନରେ ସୁରତ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ବର ଅଣାଯାଇଥିଲା । ଭୁବନେଶ୍ବରରୁ ନିଜ ଗ୍ରାମ ଅଲାଡି଼ ଗ୍ରାମ ଅଭିମୁଖେ ମୃତଦେହ ଆସୁଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ୨୦୧୮ରେ ସୁଶୀଲ ବିବାହ କରିଥିବା ବେଳେ ତାଙ୍କର ଦେଢ଼ ବର୍ଷର ଶିଶୁପୁତ୍ର ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ