ବ୍ରହ୍ମପୁର: 5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ସରଗରମ ହୋଇଛି ରାଜନୀତି। ସଚିବଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁରରେ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରକାର ପ୍ରଶ୍ନବାଣ କରିଛନ୍ତି ବିଜେପି ନେତା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି। ସହରର ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ବିଜେପି ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା କହିଛନ୍ତି, "ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ । ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜଣେ କନିଷ୍ଠ କ୍ୟାଡରର ଆଇଏଏସ ଅଫିସର ରାଜ୍ୟର ଶାସନ ତନ୍ତ୍ରକୁ କରାୟତ କରିଛନ୍ତି । ଯାହାକି ରାଜ୍ୟର ଶାସକ ଦଳ ବିଜେଡିର ୧୧୩ ବିଧାୟକ, ୨୦ ଜଣ ମନ୍ତ୍ରୀ, ୨୧ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଆଜି କିଂ କର୍ତ୍ତବ୍ୟ ବିମୂଢ ପାଲଟିଛନ୍ତି । ଅସନ୍ତୋଷ ଜଳ ଜଳ ହୋଇଥିଲେ ବି ଟିକେଟ ଆଶାରେ କୌଣସି ବିଧାୟକ, ସାଂସଦ ଓ ମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପାଇଁ ସେମାନେ ଟେଣ୍ଟz ଭିଡ଼ିଛନ୍ତି । ଗଣତନ୍ତ୍ରର ଏଭଳି ଦୟନୀୟ ସ୍ଥିତିରେ ବିଜେପି ଉଦବେଗ ପ୍ରକାଶ କରୁଛି ।"
"ସଚିବଙ୍କ ମାତ୍ର 3 ଦିନ ଗଞ୍ଜାମ ଗସ୍ତରେ ଜିଲ୍ଲାର ୧୨ ଟି ନିର୍ବାଚନମଣ୍ଡଳୀରେ ସଭା ଆୟୋଜନ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଧୂଆଁବାଣ । ଗତ 2 ମାସ ଧରି ସଚିବ ରାଜ୍ୟ ସାରା ବୁଲୁଛନ୍ତି। ହଜାର ହଜାର ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କେତେ ଅଭିଯୋଗ ସମାଧାନ ହୋଇଛି ତାହାର ଜବାବ ମାଗୁଛି ବିଜେପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ 1 ନମ୍ବର କରିବାକୁ ଦେଇଥିବା ପ୍ରତିଶ୍ରୃତି ପାଣିରେ ଗାର ହେବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନୂଆ ନାଟକ ଆରମ୍ଭ କରିଛନ୍ତି" ବୋଲି କହି ବର୍ଷିଛି ବିଜେପି।
ବିଜେପି ଜିଲ୍ଳା ସଭାପତି କହିଛନ୍ତି, "ଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ବିଶେଷ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ରାଜନୀତି ଆରମ୍ଭ କରି ଏଠାରୁ ପ୍ରତିନିଧିତ୍ଵ କରିଆସୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ସଚିବଙ୍କ ବ୍ୟୟ ବହୁଳ ଗସ୍ତ ଓଡ଼ିଶାବାସୀଙ୍କୁ ଚକିତ କରିଛି । ଗୋଟିଏ ବ୍ଲକରୁ ପଡୋଶୀ ବ୍ଲକ ଗସ୍ତ ପାଇଁ ହେଲିକେପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ ହେଉଛି । ଏପରିକି ବ୍ରହ୍ମପୁରର ଅମ୍ବପୁଆ ବିବେକ ବିହାରଠାରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଯିବାକୁ ହେଲିକପ୍ଟର ବ୍ୟବହାର କରାଯାଉଛି । ରାଜାରାଜୁଡ଼ା ଶାସନ ବ୍ୟବସ୍ଥା ଠାରୁ ଆହୁରି ତଳକୁ ଖସିଛି ଓଡ଼ିଶା ଶାସନ ବ୍ୟବସ୍ଥା । ସଭାସ୍ଥଳକୁ ଲୋକଙ୍କୁ ବୋହି ନେଉଛନ୍ତି ବିଧାୟକ ଓ ସ୍ଥାନୀୟ ପ୍ରଶାସନ। ଏ ବାବଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଶହ ଶହ ବସ କାର ଲଗାଇ ଲୋକ ବୁହା ହେଉଛି । ମହିଳା ଏସଏଚଜି ସରକାରଙ୍କ ହାତବାରିସି ପାଲଟିଛି । କଲେଜ ପିଲାଙ୍କୁ ଫେଲ୍ ଧମକ ଦେଇ ସଭାସ୍ଥଳକୁ ବୋହି ନେବା ବ୍ୟବସ୍ଥା ହୋଇଥିବା ଅଭିଯୋଗ ପହଞ୍ଚିଛି ।"
ସେ ଆହୁରି ମଧ୍ୟ କହିଛନ୍ତି "ରାଜ୍ୟର ସବୁଠୁ ପଛୁଆ ଓ ଅନୁନ୍ନତ ଜିଲ୍ଲା ଗଞ୍ଜାମ । ଏଠାରେ ବିକାଶ ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ । ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ୍ ହୋଇଛି । ଗତ ୨୪ ବର୍ଷରେ ଛୁଞ୍ଚି କାରଖାନାଟିଏ ବି ସରକାର କରିନାହାନ୍ତି । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ମନେରଗା ଯୋଜନାରେ ଆର୍ଥିକ ହେରଫେର ଅଭିଯୋଗ ଆସୁଛି । ୧୦୦ ଦିନର କାମ କାଁଭାଁ ମିଳିଛି । ରାଜ୍ଯ ଓ ବିଦେଶରୁ ଫେରୁଛି ଶବ। ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳିନି। ଚାଷ ଜମିକୁ ପାଣି ମିଳୁନଥିବାବେଳେ ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ିଛି । ଗୋଟିଏ ବି ଶୀତଳ ଭଣ୍ଡାର ସ୍ଥାପନ ହୋଇପାରିଲାନି । ଗୋପାଲପୁର ରାୟପୁର ରେଳଲାଇନ୍ ପ୍ରକଳ୍ପ ସର୍ଭେରେ ଅଟକିଛି । ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ସ୍ଵପ୍ନ ପାଲଟିଛି ।"
"ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ନିର୍ମାଣ ଦିଗରେ ସରକାର ନିର୍ବାଚନ ଧୂଆଁବାଣ ମାରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ ରାଜ୍ୟର ସର୍ବ ପୁରାତନ । ହେଲେ ଆଧୁନିକୀକରଣ ପାଇଁ ସରକାର ପଦକ୍ଷପ ନେଇନାହାନ୍ତି । ଗଞ୍ଜାମର ବୁଣାକାରଙ୍କୁ ପ୍ରୋତ୍ସାହନ ଅଭାବରୁ କୌଳିକ ବୃତ୍ତି ଛାଡ଼ୁଛନ୍ତି । ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି । ସରକାର ବାଲି ଓ ପଥର ମାଫିଆଙ୍କ ସହାୟତାରେ ଭୋଟ ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଗଞ୍ଜାମ ଜିଲ୍ଲାର ଏସବୁ ସମସ୍ୟା ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବେ କି ?" ବୋଲି ବିଜେପି ସଭାପତି ବିଜେପି ଜିଲ୍ଳା ସଭାପତି ପ୍ରଶ୍ନ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର