ବ୍ରହ୍ମପୁର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ସ୍ଥାନୀୟ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଦଳୀୟ କର୍ମକର୍ତ୍ତା, ବିଭିନ୍ନ ସମିତି ସଭ୍ୟ ଏବଂ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ପ୍ରତି ଆସ୍ଥା ରହିଥିବା ନେଇ ବିଜେଡି ଦଳ ପକ୍ଷରୁ କୁକୁଡାଖଣ୍ଡିରେ ଏକତ୍ରିତ ହେବା ସହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ନେତୃବୃନ୍ଦ ମାନେ ।
ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ଆଜି ବାଚସ୍ପତି ପଦରୁ ଦେଇଥିଲେ ଇସ୍ତଫା
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଥିଲା ଯେ," ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆମରି ନେତା, ଆମେ ସବୁ ଏକ । କୁକୁଡାଖଣ୍ଡି ବ୍ଲକ ବିଜେଡି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁପରି ଆମ ଦଳର ଏକମାତ୍ର ନେତା ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବାଚସ୍ପତି ଡ ସୂର୍ଯ୍ୟ ନାରାୟଣ ପାତ୍ର ଆମର ଅଦ୍ୱିତୀୟ ନେତା ।"
ଗତ କିଛି ବର୍ଷ ରାଜ୍ୟ ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ୱ ତୁଲାଇବା ସମୟରେ ସ୍ଥାନୀୟ ବିଧାୟକ ଦଳୀୟ ସଂଗଠନ ଠାରୁ ଦୂରରେ ରହିଥିଲେ । ଏହାପରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଏହି ସମୟରେ ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌରାଞ୍ଚଳ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ କନ୍ଦଳ ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆୟୋଜିତ ସମ୍ମିଳନୀରେ ସମସ୍ତ କର୍ମୀ ଓ ନେତୃବୃନ୍ଦ ଏକ ହୋଇ ରହିଥିବା କହିଛନ୍ତି । ସେହିପରି ସମସ୍ତେ ବିଗତ ତିନି ଦଶନ୍ଧି ହେଲା ବିଧାୟକଙ୍କ ନେତୃତ୍ୱରେ ଯେଉଁଭଳି ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ସମସ୍ତେ ବିଧାୟକଙ୍କ ସହ ରହିଥିବା କହିଛନ୍ତି ।
ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ତାଙ୍କ ପୁଅ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିବାରୁ ସେ ଦଳ ଏବଂ ନିର୍ବାଚନ ମଣ୍ଡଳୀର ସମସ୍ତ ବିଷୟ ବୁଝାସୁଝା କରିବା ସହ ସ୍ଥାନୀୟ ବିଧାୟଙ୍କଙ୍କ ପୁତ୍ର ଭାବରେ ତାଙ୍କ ପ୍ରତି ସମସ୍ତ କର୍ମୀଙ୍କ ଆନୁଗତ୍ୟ ରହିଥିବା କହିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର