ଭଞ୍ଜନଗର: କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଯେତେ ଖୋଳୁଛି ସେତେ ଟଙ୍କା ବା ସମ୍ପତ୍ତି ବାହାରୁଛି । ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରୁ ପୁଳାପୁଳା ଟଙ୍କା ଓ ସୁନା ଅଳଙ୍କାର ମିଳିଛି । ଏହି ଘଟଣା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
୧୫ ବର୍ଷରୁ ଅଧିକ ସମୟ ଧରି ଭଞ୍ଜନଗର ସହରରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ତ୍ତିକେଶ୍ଵର ରାଉଳ କାର୍ଯ୍ୟ କରି ଆସୁଛନ୍ତି । ବାବୁଙ୍କ ବଦଳି ହେଲେ ମଧ୍ୟ ବଡ଼ବାବୁ ମାନଙ୍କୁ ଖୁସି କରି ବଦଳିକୁ ବାତିଲ କରିଦେଉଥିବା ଅଭିଯୋଗ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଜେଇ ବାବୁଙ୍କ କଳାଟଙ୍କାକୁ ଖୋଜି ବାହାର କରି ମୂଳରୁ ସଫା କରିଛି ଭିଜିଲାନ୍ସ ବିଭାଗ ।
୩ ଦିନ ହେଲା କାର୍ତ୍ତିକେଶ୍ଵର ରାଉଳଙ୍କ ଭୁବନେଶ୍ଵର, ଖଲ୍ଲିକୋଟର ଲଙ୍ଗଳେଶ୍ଵର ଓ ଭଞ୍ଜନଗରରେ ଥିବା ବାସ ଭବନରେ ଚଢାଉ କରିଥିଲା ଭିିଜିଲାନ୍ସ ବିଭାଗ । କେବଳ ବାବୁଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ୨ କୋଟି ଟଙ୍କା ଜବତ କରାଯାଇଛି । ମୋଟ ସମ୍ପତ୍ତିର ମୁଲ୍ୟ ୪ କୋଟି ୬୭ ଲକ୍ଷ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ତେବେ କେବଳ କାର୍ତ୍ତିକେଶ୍ଵର ରାଉଳ ନୁହେଁ, ଗଞ୍ଜାମର ଅନ୍ୟ ବିଭାଗରେ ମଧ୍ୟ ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ରହିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭଞ୍ଜନଗରବାସୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ