ଭଞ୍ଜନଗର: ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଭଞ୍ଜନଗର ସହରରେ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗତ ୪ଦିନ ହେଲା ଏନଏସି ନିର୍ବାଚନ ପାଇଁ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଆଜି(ରବିବାର) ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଜେଡ଼ି ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘରୋଇ ବସ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର, ଅନ୍ୟାନ୍ୟ କାଉନସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଏହା ଭଞ୍ଜନଗର ବ୍ଲକ ଛକରୁ ମେନ ରୋଡ଼ ଦେଇ ଏନଏସି କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ରାସ୍ତା ସାରା ଗୋପବନ୍ଧୁଙ୍କ ବହୁ ସମର୍ଥକ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏନଏସି କାର୍ଯ୍ୟାଳୟ ଠାରେ ସାଂସଦ ପ୍ରତିନିଧି ଦିବାକର ନାୟକ, ଆସିକା ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଓ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଗୋପବନ୍ଧୁ ନାମାଙ୍କନ ପତ୍ର ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କୁ ଦାଖଲ କରିଥିଲେ । ସେହିପରି ଭଞ୍ଜନଗର ଏନଏସିର ସମସ୍ତ ୧୫ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନଥିବାବେଳେ ହାତରେ ଆଉ ମାତ୍ର ଦିନଟିଏ ସମୟ ରହିଲା । ଆଜିର ଶୋଭାଯାତ୍ରା ସମୟରେ ବିଜେଡ଼ି ପ୍ରତି ଅଦ୍ଭୁତପୂର୍ବ ଜନସମର୍ଥନ ଥିବା ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ