ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ପ୍ରମୁଖ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରୟାସ । ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ମହାପୁରୁଷ ଓ ସ୍ବାଧିନତା ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ରାସ୍ତା ପାର୍ଶ୍ବରେ ନିର୍ମାଣ କରାଯାଇଛି ଅତ୍ୟନ୍ତ ସୁନ୍ଦର ସୁନ୍ଦର ପାର୍କ । ଯେଉଁଥିରେ ପରିବେଶ ସୁରକ୍ଷା ସହିତ ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ପରେ ଜିଲ୍ଲାବାସୀ ଅନେକ ମାତ୍ରାରେ ସରକାରୀ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି ସହର ମହକୁମ୍ମା ଛତ୍ରପୁର ସହର ଉପରେ । ଜିଲ୍ଲାର ପ୍ରମୁଖ କାର୍ଯ୍ୟାଳୟ ରହିଥିବା ଯୋଗୁଁ ଏଠାକୁ ରାତି ପାହିଲେ ଛୁଟି ଆସିଥାନ୍ତି ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟକ୍ତି ବିଶେଷ । ତେଣୁ ଏହି ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ନେଇଛି । ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସି ପକ୍ଷରୁ ଉଦ୍ୟମକ୍ରମେ ଏହି ସହରର ମୁଖ୍ୟ ରାସ୍ତାରେ ସ୍ଥାପନ କରାଯାଇଛି ଅନେକ ମହାପୁରୁଷ ଓ ସ୍ବାଧିନତା ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତି । ଏହାସହ ପ୍ରତିମୂର୍ତ୍ତି ନିକଟରେ ସେମାନଙ୍କ ଗୌରବଗାଥା ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ଅନ୍ୟପଟେ କେବଳ ଯେ ମୁଖ୍ୟ ରାସ୍ତାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି ତାହା ନୁହେଁ । ସହରର ବିଭିନ୍ନ ପ୍ରମୁଖ ରାସ୍ତା ପାର୍ଶ୍ବରେ ନିର୍ମାଣ କରାଯାଇଛି ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ଛୋଟ ପାର୍କ । ଯାହାକୁ ଲୋକମାନେ ନିଜର ଅବସର ବିନୋଦନ ପାଇଁ ବ୍ୟବହାର କରିବେ । ସେଥିରେ ପରିବେଶ ସଚେତନତା ବାର୍ତ୍ତା ଠାରୁ ଆରମ୍ଭ କରି ବାଇ ଚଢ଼େଇର ବସା ମଧ୍ୟ ରହିଥିବା ଦେଖାଯାଇଛି । ଏଠାରେ ଯୁବ ପିଢ଼ିଙ୍କ ପାଇଁ ମଧ୍ୟ ରହିଛି ସେଲ୍ଫି ପଏଣ୍ଟ । ତେବେ ପ୍ରଶାସନ ପକ୍ଷରୁ ଛତ୍ରପୁର ସହରର ସୌନ୍ଦର୍ଯ୍ୟକରଣ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସବୁକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଉଛି ।
ଦୀର୍ଘ ବର୍ଷ ପରେ ଛତ୍ରପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ ପ୍ରଶାସନର ଏଭଳି ଅନେକ ପଦକ୍ଷେପ ନେଇଥିବା ବେଳେ ସହରବାସୀ ନିର୍ମାଣ ହୋଇଥିବା ଏହି ସମସ୍ତ ପାର୍କକୁ ସୁରକ୍ଷିତ ରଖିବା ସହିତ ରହିଥିବା ସମସ୍ତ ପ୍ରତିମୂର୍ତ୍ତି ପ୍ରତି ଗୁରୁତ୍ବ ଦେଲେ ଏହା ଆଗାମୀ ପିଢ଼ିଙ୍କୁ ନିଶ୍ଚିତ ଭାବେ ଅନେକ ଶିକ୍ଷା ଦେବ ।
ବ୍ରହ୍ମପୁରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ