ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଏକ ପ୍ରତିଷ୍ଠିତ ଗହଣା ସୋ' ରୁମରୁ ୩୩ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ସେହି ଦୋକାନର ଆସିଷ୍ଟାଣ୍ଟ ମ୍ୟାନଜର ଗିରଫ ହୋଇଛନ୍ତି । ଅଭିଯୁକ୍ତ ପ୍ରାୟ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଅଳଙ୍କାର ଉଠାଇ ନେବା ପରେ ତାକୁ ବନ୍ଧକ ରଖି ସେହି ଟଙ୍କାରେ ଅନଲାଇନ୍ ଗେମ୍ ଖେଳିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଆସିଷ୍ଟାଣ୍ଟ ମ୍ୟାନେଜର ହେଲେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବ୍ରଜନଗର ତୃତୀୟ ଲାଇନର ସୀମୀଞ୍ଚଳ ପାତ୍ର ଓରଫ ଲିପୁ ।
![ସୁନା ଦୋକାନରୁ ୩୩ ଲକ୍ଷର ଅଳଙ୍କାର ଚୋରି](https://etvbharatimages.akamaized.net/etvbharat/prod-images/od-bam-asst-manager-arrest-7205524_06022023214721_0602f_1675700241_317.jpg)
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ କାର୍ଯ୍ୟରତ ଥିବା ଗହଣା ସୋ' ରୁମ୍ରୁ ସପ୍ତାହକ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ମୋଟ ୫୨୩. ୨୩ ଗ୍ରାମ ଓଜନର ଗହଣା ବିଭିନ୍ନ ଗ୍ରାହକଙ୍କ ଘରେ ଦେଖାଇବା ବାହାନାରେ ପ୍ରତିଶ୍ରୁତି ଦେଇ ନେଇଥିଲେ । ଏହି ଗହଣା ମଧ୍ୟରେ ୨୨୦.୪୩୦ ଗ୍ରାମର ତିନୋଟି ସୁନା ବ୍ରେସଲେଟ୍ , ୨୮୪.୪୦୦ ଗ୍ରାମ୍ ଓଜନର ତିନୋଟି ଚେନ୍ ଏବଂ ୧୮.୪୦୦ ଗ୍ରାମର ଗୋଟିଏ ମଙ୍ଗଳସୂତ୍ର ପଦକ ଥିଲା । ସୀମୀଞ୍ଚଳ ଏହି ଗହଣାକୁ ଏକ ଘରୋଇ ଫାଇନାସ୍ କମ୍ପାନୀ ନିକଟରେ ବନ୍ଧା ରଖି ୧୯ ଲକ୍ଷ ୭୦ ହଜାର ଟଙ୍କାର ଋଣ ନେଇଥିଲେ । ପରେ ଏହି ଟଙ୍କାରେ ସେ ଅନଲାଇନ୍ ଗେମ୍ ଖେଳିଥିଲେ ।
![ସୁନା ଦୋକାନରୁ ୩୩ ଲକ୍ଷର ଅଳଙ୍କାର ଠକେଇ](https://etvbharatimages.akamaized.net/etvbharat/prod-images/od-bam-asst-manager-arrest-7205524_06022023214721_0602f_1675700241_958.jpg)
ଏହାମଧ୍ୟ ପଢନ୍ତୁ: ଦେଢ ବର୍ଷର ଶିଶୁ ଦୁଷ୍କର୍ମ, ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ
ଏ ସମ୍ପର୍କରେ ଜାଣିବା ପରେ ସୋ' ରୁମର ମାଲିକ ମନମୋହନ ବାରିକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ ଛାନଭିନ୍ କରି ଅଭିଯୁକ୍ତ ସୀମାଞ୍ଚଳ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହିତ ତାଙ୍କଠାରୁ ସମସ୍ତ ସୁନା ଅଳଙ୍କାରକୁ ଜବତ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର