ବ୍ରହ୍ମପୁର: 5 ଦଫା ଦାବି ନେଇ ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ। ରାଜ୍ୟର 6 ହଜାରରୁ ଅଧିକ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳସ୍ତରରେ କାର୍ଯ୍ୟରତ ରହି ପ୍ରାଣୀ ସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ଏଥିସହ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳତା ରୂପାୟନ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ସରକାର ଏମାନଙ୍କ ଦାବୀକୁ ଗୁରୁତ୍ୱ ଦେଉନଥିବା ନେଇ କ୍ଷୋଭ ପ୍ରକାଶ କରିଛି ସଂଘ ।
ତେବେ ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ବର୍ଷ ଧରି ଦାବି କରାଯାଇ ଆସୁଥିବା ଦରମାରେ ରହିଥିବା ଅସଙ୍ଗତି ଦୂରୀକରଣ କରିବା , ନିଯୁକ୍ତି ନିୟମ ସଂଶୋଧନ କରିବା , ଦୁଇ ବର୍ଷିୟା ଡିପ୍ଲୋମା ଓ ତାର ନାମକରଣ କରିବା , କାର୍ଯ୍ୟସାରଣୀର ସଂଶୋଧନ କରିବା ଭଳି ଦାବୀକୁ ନେଇ ସଂଙ୍ଘର କର୍ମକର୍ତ୍ତା ମାନେ ଏକ ବୈଠକରେ ସରକାରଙ୍କ ନିକଟରେ ଚାପ ସୃଷ୍ଟି କରିବାକୁ କର୍ମକର୍ତ୍ତାମାନେ ରାଜ୍ୟ ସଂଘର ନିଷ୍ପତ୍ତି ପ୍ରକାରେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା ।
ମୁଖ୍ୟତଃ ରାଜ୍ୟରେ କାର୍ଯ୍ୟରତ ରହିଥିବା ଏହି ବର୍ଗର ବୈଷୟିକ କର୍ମଚାରୀ ମାନଙ୍କ କ୍ୟାଡର ଉପରେ ରହିଥିବା ଦାୟିତ୍ୱ ବଢିଥିବାର ଗୁରୁତ୍ୱ ସରକାର ଉପଲବ୍ଧ କରିଥିଲେ। ଏନେଇ ରାଜ୍ୟବାସୀଙ୍କ ପ୍ରାଣୀ ବିକାଶ ତଥା ସୁରକ୍ଷା ନିମନ୍ତେ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ଏବଂ ଆଧୁନିକତା ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ହୃଦବୋଧ କରି ପ୍ରାଣୀଧନ ନିରୀକ୍ଷକ ପଦବୀରେ ଯୋଗ ଦେବା ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଯୋଗ୍ୟତା ଥାଇ ଦୁଇ ବର୍ଷୀୟା ଡିପ୍ଲୋମା ତାଲିମର ବ୍ୟବସ୍ଥା ୨୦୧୫ ମସିହାରୁ ପ୍ରଚଳିତ କରିଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଡିପ୍ଲୋମାକୁ ସରକାର ଦୃଷ୍ଟିଗୋଚର ଦେଉନାହାନ୍ତି । ଏପରିକି ପୂର୍ବରୁ ୨୦୧୮ ମସିହା ଫେବୃୟାରୀ ମାସର ୧୨ ଓ ୧୩ ତାରିଖରେ ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ମଧ୍ୟ ଦିଆଯାଇଥିଲା ।
ଏନେଇ ପରେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଓ ଚାରି ମାସ ମଧ୍ୟରେ ଦାବୀ ପୂରଣର ଲିଖିତ ପ୍ରତିଶୃତି ପାଇବା ପରେ ଏହି ଆନ୍ଦୋଳନ ସ୍ଥଗିତ କରାଯାଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସଂଘ ବିଭିନ୍ନ ପର୍ଯ୍ୟାୟରେ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଅନେକ ସ୍ଥାନରେ ନିଜର ଦାବି ହାସଲ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଯାହାକୁ ନେଇ ରାଜ୍ୟ ସଂଘ ପୁଣି ଥରେ ଜିଲ୍ଲାସ୍ତରରେ ବିକ୍ଷୋଭ ଓ ପ୍ରତିବାଦ ପରେ ସରକାର ଦାବି ପ୍ରତି ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କୁହାଯାଇଛି । ଏନେଇ ବ୍ରହ୍ମପୁର ଠାରେ ସମସ୍ତ କର୍ମଚାରୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ପରିକ୍ରମା କରିବା ପରେ ସି.ଡି.ଭି.ଓ ଙ୍କ ଜରିଆରେ ସରକାର ଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର