ବ୍ରହ୍ମପୁର: ଆକାଶ ପାଠକଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର 7 ଜଣିଆ ଟିମ୍ ବ୍ରହ୍ମପୁରରେ ପହଞ୍ଚିଛି । ଆକାଶ ଚାକିରି ଦେବାକୁ କହି ଟଙ୍କା ହଡପ କରିବା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।
ସୂଚନା ଅନୁଯାୟୀ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସ କମ୍ପାନୀରେ ଚାକିରି କରାଇଦେବାକୁ କହି ଅର୍ଥ ହଡପ୍ କରିଥିଲେ । ଆକାଶ ଚାକିରି କରାଇଦେବାକୁ କହି ଗଞ୍ଜାମ ଜିଲ୍ଲାର 68 ଜଣ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ମାମଲାର ତଦନ୍ତ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
କ୍ରାଇବ୍ରାଞ୍ଚର ଡିଏସପି ବିକାଶ ବେହୁରାଙ୍କ ନେତୃତ୍ବରେ ଗଠିତ 7 ଜଣିଆ ଟିମ୍ ଏହି ମାମଲାର ଖୋଳତାଡ କରିବ । ସହରର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇପିଏସ ମେସ୍ ପରିସରରେ ଟିମ୍ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି । ଏନେଇ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଅମିତେନ୍ଦ୍ର ନାଥ ସିଂହ ସୂଚନା ଦେଇଛନ୍ତି । ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଆକାଶ ଓ ଆଇଏଫଏସ ଅଭୟ ପାଠକ ଜେଲରେ ଅଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ