ବ୍ରହ୍ମପୁର: କୋରୋନା କାଳରେ କିନ୍ନରଙ୍କୁ ମିଳିଲା ରୋଜଗାର । ଆଦାୟ କରିବେ ପାର୍କିଂ ଫି । କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସ୍ୱାବଲମ୍ବୀ କରାଇବା ଏବଂ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ନେଇ ସ୍ଥାନୀୟ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି । ଏନେଇ କିନ୍ନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ସହରର 4 ଟି ପ୍ରମୁଖ ଛକରେ ରହୁଥିବା ଗାଡି ଗୁଡିକ ଠାରୁ ଫି ଆଦାୟ କରାଯିବ । ଦୁଇ ଚକିଆ ଠାରୁ ଚାରି ଚକିଆ ଗାଡି ଗୁଡିକରୁ ଏହି ପାର୍କି ଫି ଆଦାୟ କରିବେ କିନ୍ନରମାନେ । ସହରର କିନ୍ନର ମାନଙ୍କର ୧0 ଜଣ ସଦସ୍ୟଙ୍କୁ ନିଗମ ପକ୍ଷରୁ ପି.ଓ.ସି ମେସିନ ସାହାଯ୍ୟରେ କିଭଳି ପାର୍କିଂ ଫି’ ଆଦାୟ କରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଥିବା କହିଛନ୍ତି ନିଗମର କମିଶନର ।
ସହରର ପ୍ରମୁଖ ଚାରୋଟି ସ୍ଥାନ କୁହାଯାଉଥିବା ଗିରି ମାର୍କେଟ , ଅର୍ଣ୍ଣପୂର୍ଣ୍ଣl ବଜାର, ପୁରୁଣା ବସଷ୍ଟାଣ୍ଡ ଓ ସାଇ କମ୍ପ୍ଲେକ୍ସ ଭଳି ପାର୍କିଂ ସ୍ଥଳରୁ କିନ୍ନରମାନେ ଏହି ଫି ଆଦାୟ କରିବେ । ଏଥିପାଇଁ କିନ୍ନରଙ୍କ ଦୁଇଟି ସ୍ୱୟଂସହାୟକ ଗୋଷ୍ଠିର ମୋଟ ୨0 ଜଣଙ୍କୁ ବିଏମସି ପକ୍ଷରୁ ମନୋନୀତ କରାଯାଇଛି । ସେଥିରୁ ଆଦାୟ ପାର୍କିଂ ଫି ରୁ ଯେଉଁ ଅର୍ଥ ଆସିବ ସେଥିରୁ ସେମାନଙ୍କୁ କମିଶନ ଆକାରରେ ପ୍ରଦାନ କରାଯିବ । ମୁଖ୍ୟତଃ ପ୍ରତି ଦୁଇ ଚକିଆ ଯାନକୁ ପ୍ରତି ୨ ଘଣ୍ଟା ପାଇଁ ୫ ଟଙ୍କା ଓ ଚାରିଚକିଆ ଯାନ ପାଇଁ ୧0 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାଠାରୁ ଅଧିକ ସମୟ ସୀମା ପାର୍କିଂ କଲେ ପୁଣି ଅଧିକା ନିର୍ଦ୍ଧାରିତ ଦର ଜନସାଧାରଣଙ୍କୁ ଦେବାକୁ ପଡିବ । ସେପଟେ ମହାନଗର ନିଗମ ପକ୍ଷରୁ ଏହି ଦାୟିତ୍ୱ ପ୍ରଦାନ କରାଯିବା ପରେ ଏନେଇ ବେଶ ଖୁସି ପ୍ରକାଶ କରିଛନ୍ତି କିହ୍ନରମାନେ ।
ପୂର୍ବରୁ ବ୍ରହ୍ମପୁର ସହରର ଶତାଧିକ କିନ୍ନରଙ୍କୁ ଜୋତା ପ୍ରସ୍ତୁତ କରିବା ତାଲିମ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ଏଭଳି ପାର୍କିଂ ପିଂ ଆଦାୟ ନେଇ ତାଲିମ ଦିଆଯିବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ତେବେ ଏହି ପଦକ୍ଷେପ ସଫଳ ହେଲେ ଆଗକୁ ସହରର ବିଭିନ୍ନ ସ୍ଥାନରୁ ପାର୍କିଂ ସ୍ଥଳ ପରିଚାଳନା ଓ ଫି ଆଦାୟ ଦାୟିତ୍ୱ କିନ୍ନର ସଂଘକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ