ବ୍ରହ୍ମପୁର : 2024 ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରି ଦେଲେଣି ବିଭିନ୍ନ ରାଜନୈତିକ ଦଳ । ଏବେଠୁ ଘନଘନ ବୈଠକ ସାଙ୍ଗକୁ ଶକ୍ତି ପ୍ରଦର୍ଶନ ମଧ୍ୟ କରିବା ଆରମ୍ଭ କରି ଦେଲେଣି । 2024 ନିର୍ବାଚନ ତାରିଖ ଯେତେବେଳେ ଏବଂ ଯେଉଁ ସମୟରେ ଘୋଷଣା ହେବେ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଦିନିକଆ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶାଳ ରାଲି କରିଛି ବିଜେପି । ଆଗାମୀ ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରିଛି ଦଳ । କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ହିତରେ କାର୍ଯ୍ୟ କରିଥିବା ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । 2024 ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ''ଯେତେବେଳେ ଏବଂ ଯେଉଁ ସମୟରେ ନିର୍ବାଚନ ତାରିଖ ଘୋଷଣା ହେବେ ଆମେ ପ୍ରସ୍ତୁତ ଅଛୁ । ସାଧାରଣ ଲୋକଙ୍କ ନେତୃତ୍ୱରେ ବିଜେପି 2024 ସାଧାରଣ ନିର୍ବାଚନ ଲଢିବ । ଏହି ନିର୍ବାଚନରେ ଯଶସ୍ୱୀ ହେବ ।''
ସେ ଆହୁରି କହିଛନ୍ତି, ''ରାଜ୍ୟରେ ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି ସରକାରକୁ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ବିଜେପିକୁ ପରୀକ୍ଷା ନିରୀକ୍ଷା କରିବାକୁ ଚାହୁଁଛନ୍ତି । ନିଶ୍ଚିତ ଭାବରେ ବିଧାନସଭା ଓ ଲୋକସଭା ନିର୍ବାଚନ ବିଜେପି ସପକ୍ଷରେ ଯିବ । ଏହି ନିର୍ବାଚନରେ ସାଧାରଣ ଲୋକେ ଲଢିବେ ଏହି କଥା ପ୍ରାୟ ନିଶ୍ଚିତ ।''
ଦେଶରେ ନୂତନ ସଂସଦ ଭବନ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଭାରତର ସବୁଠାରୁ ବଡ ପଞ୍ଚାୟତ ସଂସଦ ଭବନକୁ ସେ ନିଜେ ଶିଳାନ୍ୟାସ କରିବା ଏବଂ ଏହାର ଅଢେଇ ବର୍ଷ ମଧ୍ୟରେ ତାହାର କାର୍ଯ୍ୟ ଶେଷ କରି ରାଷ୍ଟ୍ର ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି । ସାରା ବିଶ୍ୱରେ ଜଶସ୍ୱୀ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଏକ ମାତ୍ର ବ୍ୟକ୍ତିତ୍ୱ ରାଷ୍ଟ୍ରମୁଖ୍ୟ ଭାବରେ ସାଧାରଣ ଲୋଙ୍କୁ ଅସାଧାରଣ କରିଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ରାଜ୍ୟ ବିଜେପିରେ ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ମନମୋହନଙ୍କୁ ଏକ ବିରାଟ ମୋଟର ସାଇକଲେ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରାଯାଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଦଳ ପକ୍ଷରୁ ରାଜ୍ୟ ସଭାପତିଙ୍କ ଉପସ୍ଥିତିକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ ଦଳୀୟ କର୍ମୀ । ପରେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହିତ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁରର ବରିଷ୍ଠ ନେତାମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର