ଗତପତି: ଆଖି ସହ ଆଖି ମିଶିବା ପରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ପ୍ରେମିକାକୁ ଦିନେ ନଦେଖିଲେ ପ୍ରେମିକ ଆଖିକୁ ଯେମିତି ନିଦ ଆସୁନଥିଲା। ଦିନ ଗଡିବା ସହ ମଜଭୁତ ହେଲା ପ୍ରେମ ସମ୍ପର୍କ। ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକ ପ୍ରେମିକା। କିନ୍ତୁ ପ୍ରେମର ରାସ୍ତାରେ କଣ୍ଟା ସାଜିଲା ପ୍ରେମିକାର ବାହାଘର ଖବର। ଏହା ଶୁଣିବା ପରେ ପ୍ରେମିକ ମୁଣ୍ଡରେ ଚଢିଲା ପିତ । ଦିନେ ମନ ଦେଇ ଭଲ ପାଉଥିବା ପ୍ରେମିକ ପ୍ରେମିକାକୁ ବଦନାମ କରିବାକୁ ମଧ୍ୟ ପଛାଇଲା ନାହିଁ। ବାହାଘର ପୂର୍ବରୁ ପ୍ରେମିକାର ଅଶ୍ଲିଳ ଭିଡିଓ ଭାଇରାଲ କଲା ପ୍ରେମିକ। ଶେଷରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ କେ ଝାଲରସିଂ ଗାଁରେ ।
ଜୁରୀପଦା ଫାଣ୍ଡି ଅଧିନସ୍ଥ କେ,ଝାଲରସିଂ ଗ୍ରାମର ସିଣ୍ଟୁ ମିଶାଲ ନାମକ ଜଣେ ଯୁବକ ନୁଆଁଗଡ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତ 2 ବର୍ଷ ହେବ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ପ୍ରେମର ନିଶାରେ ଦିନେ ଯବତୀ ଜଣଙ୍କ ନିଜର ଅଶ୍ଲିଳ ଭିଡିଓ ସିଣ୍ଟୁଙ୍କୁ ପଠାଇଥିଲେ। ଏହାକୁ ସିଣ୍ଟୁ କିନ୍ତୁ ଡିଲିଟ ନକରି ପାଖରେ ରଖିଥିଲେ। ନିକଟରେ ଯୁବତୀଙ୍କ ବିବାହ ସ୍ଥିର କରିଥିଲେ ପରିବାର ଲୋକେ। ଏହି ଖବର ପହଞ୍ଚି ଥିଲା ପ୍ରେମିକ ସିଣ୍ଟୁ ପାଖରେ। ପ୍ରେମିକାର ବିବାହ ନକରାଇ ଦେବା ପାଇଁ ସିଣ୍ଟୁ ଦୀର୍ଘ ଦୁଇ ବର୍ଷ ଧରି ସାଇତି ରଖିଥିବା ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଏ ବିଷୟରେ ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶେଷରେ ଯୁବକଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ସାଇବର କ୍ରାଇମ ଆକ୍ଟ ଅନୁସାରେ ପ୍ରେମିକ ପ୍ରବର ସିଣ୍ଟୁକୁ ଗିରଫ କରିଛି ପୋଲିସ ।
ଏନେଇ ସେରଙ୍ଗ ଆଇଆଇସି ଅଶୋକ ହାଂସଦା କହିଛନ୍ତି, ''ଗତକାଲି ସେରଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଜଣେ ଯୁବକ ଯୁବତୀଙ୍କ ଅଶ୍ଲିଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ସାଇବର କ୍ରାଇମ ଆକ୍ଟ ଅନୁସାରେ ଗିରଫ କରାଯାଇଛି। ସେ ଯୁବତୀ ଜଣଙ୍କୁ ଭଲ ପାଉଥିଲେ। କିନ୍ତୁ ଯେତେବେଳେ ୟୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିଲା ଯୁବକ ଜଣଙ୍କ ରାଗିଯାଇଥିଲେ। ଶେଷରେ ସିଣ୍ଟୁ ଯୁବତୀ ଜଣଙ୍କର ଅଶ୍ଲିଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଯୁବକର ମୋବାଇଲ ଓ ଲାପଟପକୁ ମଧ୍ୟ ସିଜ କରାଯାଇଛି।''
ଇଟିଭି ଭାରତ, ଗଜପତି